ଆଜିର ନାରୀ, ଦେଶର ଶିରୀ

ବଦଳିଛି ସମାଜ । ବଦଳିଛି ନାରୀ କୁ ନେଇ ସମାଜ ର ଦୃଷ୍ଟିଭଙ୍ଗୀ । ଦିନ ଥିଲା ପରିବାର ର ଚାରି କାଂଥ ଚୌହଦୀ ଭିତରେ ନାରୀ ନିଜକୁ ଆବଦ୍ଧ କରି ରଖୁଥିଲା । ଏବେ ସେ ସମୟ ଅତିକ୍ରାନ୍ତ । ୟା ଭିତରେ ଢେର କିଛି ବଦଳିଛି । ଅନେକ କିଛି ବଦଳିବାର ପ୍ରକ୍ରିୟା ଆରମ୍ଭ ହୋଇଛି । ପୁରୁଷ ଙ୍କ ସହ ତାଳ ଦେଇ ମହିଳା ଟିଏ ଆଜି ବିଭିନ୍ନ କ୍ଷେତ୍ରରେ ନିଜକୁ ଯୋଗ୍ୟ କରି ଗଢି ତୋଳିଛି । ମତ ଦେବା ଠାରୁ ନିଷ୍ପତ୍ତି ନେବା ପର୍ୟ୍ୟନ୍ତ ସାମାଜିକ ଆର୍ଥିକ ଓ ରାଜନୈତିକ ଜୀବନର ପ୍ରତ୍ୟେକ ସ୍ତରରେ ମହିଳା ଙ୍କୁ ଉପେକ୍ଷା କରାଯିବା ଭଳି ପରିସ୍ଥିତି ଆଉ ନାହିଁ । ଆନ୍ତର୍ଜାତୀୟ ମହିଳା ଦିବସ ଅବସର ରେ ସମାଜର ବିଭିନ୍ନ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା କେତେକ ମହିଳା ଙ୍କୁ ନେଇ ଆମର ଏ ପ୍ରତିବେଦନ ।

ଲୁଟିଆ ଙ୍କ ହୋସ ଉଡାଇଲେ ରିନୁ ଡାକୁଆ

ବୁଲେଟ ରେ ଲୁଟିଆ ଙ୍କୁ ପିଛା କରି ସେମାନଙ୍କ ସହ ଲଢ଼ିଲେ । ନିଜ ମୋବାଇଲି ଛଡାଇ ଆଣିବା ସହ ଜଣଙ୍କୁ କାବୁ କରାଇବାରେ ସଫଳ ହେଲେ । ନିଜେ ରକ୍ତାକ୍ତ ହେଲେ ସତ ହେଲେ ଲୁଟିଆକୁ ଛାଡିଲେନି । ଏ କେଉଁ ସିନେମା ର ଦୃଶ୍ୟ ନୁହଁ । ନିକଟରେ ରାଜଧାନୀ ଭୁବନେଶ୍ୱର ରେ ଘଟି ଯାଇଥିବା ଏକ ସତ ଅପରାଧ ଘଟଣା । ଲୁଟିଆ କୁ କାବୁ କରି ପ୍ରଶଂସିତ ହୋଇଛନ୍ତି ବୁଲେଟ ରାଣୀ ରିନୁ ଡାକୁଆ ।

ସରକନ୍ତରା ଅଞ୍ଚଳର ଝିଅ ରିନୁ ସବୁଦିନ ଭଳି ନିଜ ବୁଲେଟ ରେ ବାଣୀବିହାର ରେ ଥିବା ତାଙ୍କ କର୍ମସ୍ଥଳୀ ରୁ ଘରକୁ ଫେରୁ ଥିଲେ । ଫେରନ୍ତା ରାସ୍ତାରେ ଦୁଇଜଣ ଲୁଟେରା ତାଙ୍କୁ ଅନୁସରଣ କରୁଥିବା ସେ ଅନୁଭବ କଲେ । ଏଭଳି ସମୟରେ ତାଙ୍କର ଏକ ଫୋନ ଆସିଯିବାରୁ ଗାଡିକୁ ଠିଆ କରାଇ ସେ ଫୋନ ରେ କଥା ହେଲେ । ଏହି ସମୟରେ ଲୁଟେରା ମାନେ ତାଙ୍କ ହାତରୁ ଫୋନ ଝାମ୍ପି ନେଇ ଛୁ ମାରିଥିଲେ । ହେଲେ ରିନୁ ଚୁପ ନ ରହି ତୁରନ୍ତ ଲୁଟେରା ଙ୍କୁ ଗୋଡ଼ାଇ ଗୋଡ଼ାଇ ଜଣଙ୍କର କଲର ଧରିନେଲେ । ଚଳନ୍ତା ଗାଡ଼ିରେ ଏଭଳି ହେବା ରୁ ଲୁଟେରା ଓ ରିନୁ ତଳେ ପଡି ରକ୍ତାକ୍ତ ହୋଇଥିଲେ । ସ୍ଥାନୀୟ ଲୋକେ ଲୁଟେରା ଙ୍କୁ କାବୁ କରିନେଇଥିଲେ । ଜଣେ ମହିଳା ଙ୍କ ଏଭଳି ଅତୁଳନୀୟ ସାହସ କୁ ପ୍ରସଂଶା କରିଛି ରାଜ୍ୟ ମହିଳା ଆୟୋଗ । ରିନୁ କହିଛନ୍ତି ମୋର ସାହସ ଥିବାରୁ ମୁଁ ମୋ ମୋବାଇଲ କୁ ଲୁଟେରା ଙ୍କ ନିକଟରୁ ଫେରାଇ ଆଣିଲି । ସବୁ ମହିଳା ସାହସୀ ହେବା ଉଚିତ ବୋଲି ରିନୁ କହିଥିଲେ ।

ବୈଦ୍ୟୁତିକ ଗାଡିର ବ୍ୟାଟେରୀ ପ୍ରଯୁକ୍ତି ପାଇଁ ଚର୍ଚ୍ଚାରେ ଭୁବନେଶ୍ୱର ର ଦୁଇ ଯାଆଁଳା ଭଉଣୀ ନିକିତା ଓ ନିଶିଥା

ଦେଶରେ 2030 ସୁଦ୍ଧା 206 ବିଲିୟନ ଡଲାର ମୁଲ୍ୟର ଦୁଇ ଓ ତିନିଚକିଆ ବୈଦ୍ୟୁତିକ ଗାଡି ବିକ୍ରିର ସମ୍ଭାବନା ଥିବା ବେଳେ 2030 ସୁଦ୍ଧା ବାର୍ଷିକ 158 GW ର ବ୍ୟାଟେରୀ ଚାହିଦା ସୃଷ୍ଟିର ଆକଳନ କରାଯାଇଛି । ଏହି ବିଶାଳ ବ୍ୟବସାୟ କୁ ଦୃଷ୍ଟିରେ ରଖି ଭୁବନେଶ୍ୱର ର ଦୁଇ ଯାଆଁଳା ଭଉଣୀ ନିଶିଥା ବଳିୟାର ସିଂ ଓ ନିକିତା ବଳିୟାରସିଂ ଇଲେକ୍ଟ୍ରିକଯାନ ପାଇଁ ବ୍ୟାଟେରୀ ପ୍ରଯୁକ୍ତି ନେଇ ଆଗକୁ ଆସିଛନ୍ତି ।

ନିକିତା ସାମ୍ବାଦିକତା ଓ ଗଣ ଯୋଗାଯୋଗ ରେ ସ୍ନାତ୍ତକୋତ୍ତର କରିଥିବା ବେଳେ ନିଶିଥା କର୍ପୋରେଟ ଫାଇନାନ୍ସ ପାଠ୍ୟକ୍ରମ ପରେ NEXUS power ନାମରେ ଏକ ଷ୍ଟାର୍ଟଅପ ର ଶୁଭାରମ୍ଭ କରି ଜୈବ ବିଘଟନ ଓ ପରିବେଶ କୁ ସୁହାଇଲା ଭଳି ବ୍ୟାଟେରୀ ର ବଜାର ପ୍ରବେଶ କରାଇଛନ୍ତି । ଏହି ବ୍ୟାଟେରୀ ପରିବେଶ ପ୍ରଦୂଷଣ କରିନଥାଏ । ଶସ୍ୟ ଅବଶିଷ୍ଟାଂଶ ରୁ ତିଆରି ହେଉଥିବାରୁ ବ୍ୟାଟେରୀ ର ଶକ୍ତି, ଗୁଣବତ୍ତା ,ସ୍ୱଳ୍ପ ମୂଲ୍ୟ ଓ ପରିବେଶର ହିତକରି ଥିବା ଜଣାଯାଇଛି ।

ସ୍ୱାଦିଷ୍ଟ ବ୍ୟଞ୍ଜନ ର ନିଆରା ସୁପକାର ସମ୍ବଲପୁର ର ସନ୍ତୋଶିନୀ ମାଉସୀ

ସନ୍ତୋଶିନୀ ମିଶ୍ର । ବୟସ ୭୩ । ସମ୍ବଲପୁର ରେ ଅଧିକାଂଶ ଲୋକ ଜାଣନ୍ତି ମାଉସୀ ନାଁ ରେ । କେହି କେହି ବୟସ୍କ ଲୋକ ନରେନ ର ମା ନାମରେ ଜାଣନ୍ତି । ସନ୍ତୋଶିନୀ ମାଉସୀ ସମ୍ବଲପୁର ସହର ର ଜଣେ ଭଲ ରୋଷେୟା ଭାବେ ଖ୍ୟାତି ପାଇଛନ୍ତି । ପୁରୁଷ ମାନଙ୍କ ଆଧିପତ୍ୟ ଥିବା ସୁପକାର ପେଷା ରେ ସନ୍ତୋଶିନୀ ମାଉସୀ ଙ୍କ ପ୍ରବେଶ ଆଜିର ନୁହଁ , ୪ ଦଶନ୍ଧି ତଳର । ମାଉସୀ ପରିବାର ର ବାଧ୍ୟବାଧ୍ୟକତା ରେ ଏ ବୃତ୍ତିରେ ପ୍ରବେଶ କରିଥିଲେ । ପ୍ରଥମେ ପ୍ରଥମେ ସେ ୪୦ ରୁ ୫୦ ଜଣ ଙ୍କ ଭୋଜିଭାତରେ ରୋଷେଇ ପାଇଁ ଅର୍ଡର ରଖୁଥିଲେ । ନିର୍ବନ୍ଧ, ଓ ପାରିବାରିକ ବନ୍ଧୁମିଲନ ଓ ଛୋଟ ଛୋଟ ଭୋଜିଭାତରେ ରୋଷେଇ କରୁ କରୁ କ୍ରମଶଃ ସେ ୫୦୦୦ ଲୋକଙ୍କ ସମାବେଶ ରେ ରାନ୍ଧିବା ଆରମ୍ଭ କଲେ । ସ୍ନେହ ପୂର୍ଣ୍ଣ ବ୍ୟବହାର ସାଙ୍ଗକୁ ସ୍ୱାଦିଷ୍ଠ ଦେଶୀ ରୋଷେଇ ତାଙ୍କୁ ନିଆରା ପରିଚିତି ଆଣିଦେଲା ।

ସନ୍ତୋଶିନୀ ମାଉସୀଙ୍କ ରୋଷେଇ କଳା କେବଳ ଏକା ତାଙ୍କୁ ସ୍ୱାବଲମ୍ବୀ କରାଇନାହିଁ ବରଂ ଅନ୍ୟାନ୍ୟ ମହିଳା ସହଯୋଗୀ ମାନଙ୍କୁ ମଧ୍ୟ ଜୀବିକା ଦେଇଛି । ମାଉସୀଙ୍କ ମୁଗ ରସ ବରା ଯିଏ ଥରେ ଖାଇଛି ସେ ବାରମ୍ବାର ଖାଇବାକୁ ଖୋଜିହେଉଛି ବୋଲି ତାଙ୍କ ରୋଷେଇ ଖାଇଥିବା ସହର ର ଜଣେ ବାସିନ୍ଦା କହିଛନ୍ତି । ସନ୍ତୋଶିନୀ ମାଉସୀ ଙ୍କ ପରି ଆଉ ଜଣେ ମହିଳା ମଧ୍ୟ ଏ କ୍ଷେତ୍ର ରେ ନାଁ କମାଇଲେଣି । ମୁନୁ ବୋହୁ ନାମ୍ନୀ ଜଣେ ସୁପକାର ଙ୍କ ଦ୍ଵାରା ପ୍ରସ୍ତୁତ ବ୍ୟଞ୍ଜନ ରେ ସମ୍ବଲପୁର ଭୋଜି ଭାତ ମହକିତ ହେଉଥିବା ନେଇ ଚର୍ଚା ହେଉଛି ।

କାନାଗାଁରୁ କଟକ: ମହକିଲେ ବଣମଲ୍ଲୀ ନମିତା

ଆନ୍ଧ୍ର-ଓଡ଼ିଶା ସୀମାନ୍ତ କୋରାପୁଟ ଜିଲାର ଦୁର୍ଗମ ବନାଞ୍ଚଳର ଜଣେ ଦଶମ ପଢ଼ୁଆ ଆଦିବାସୀ ଝିଅ ଏବେ ତିନୋଟି ଭାଷାରେ ସୁମଧୁର ସ୍ବରରେ ଗୀତ ଗାଇ ସାରା ରାଜ୍ୟରେ ନିଜର ଏକ ନିଆରା ପରିଚିତି ସୃଷ୍ଟି କରିଛନ୍ତି। ବନ୍ଧୁଗାଁ ବ୍ଲକ କାନାଗାଁ ପଞ୍ଚାୟତ ଅଧୀନ ଚିନ୍ତାଗୁଡ଼ା ଗାଁର ଏହି ଝିଅ ନମିତା ମେଲେକାଙ୍କ ଯାଦୁକରୀ ସ୍ବରକୁ ନେଇ ଏବେ ସୋସାଲ ମିଡିଆରେ ବ୍ୟାପକ ଚର୍ଚ୍ଚା ହେବା ପରେ ତାଙ୍କର ପ୍ରଥମ ଗୀତକୁ କଟକ ଠାରେ ରେକର୍ଡିଂ କରାଯାଇଛି।

ଚିନ୍ତାଗୁଡ଼ା ଗାଁର ଏକ ଟାଇଲ ଛପର ଘରେ ଜନ୍ମିତ ନମିତାଙ୍କୁ ନେଇ ଏବେ ସାରା ରାଜ୍ୟରେ ଆଲୋଚନା। ସୋସାଲ ମିଡିଆରେ ତାଙ୍କର ଏକାଧିକ ଗୀତ ବାଜିବା ପରେ ବଣଜଙ୍ଗଲ ଘେରା ଚିନ୍ତାଗୁଡ଼ାର ଏହି ବଣମଲ୍ଲୀଙ୍କ ମହକକୁ ଦୁନିଆ ଜାଣିଥିଲା। ଗାଁ ପାଖ ଲିନାବାଡ଼ି ଗ୍ରାମ ବିଦ୍ୟାଳୟରେ ଦଶମ ଶ୍ରେଣୀ ପଢ଼ୁଥିବା ନମିତାଙ୍କ ବାପା ତାମାନା ମେଲେକା ଜଣେ ଚାଷୀ ହୋଇଥିବା ବେଳେ ମା ଦାଲି ମେଲେକା ଜଣେ ଗ୍ହିଣୀ। ପିତାମାତାଙ୍କ ସ୍ବଳ୍ପ ରୋଜଗାର ଓ ଅଭାବୀ ପରିବାରର ପରିଚାଳନା ଭିତରେ ନମିତା ଉଚ୍ଚଶିକ୍ଷା ପାଇଁ ଲିନାବାଡ଼ି ଆଶ୍ରମ ବିଦ୍ୟାଳୟରେ ଆବାସିକ ଭାବେ ରହି ପାଠ ପଢ଼ୁଥିଲେ। ସାମ୍ପ୍ରତିକ ମହାମାରୀ କୋରୋନା ପ୍ରକୋପକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ବନ୍ଦ ହୋଇଯିବା ପରେ ନମିତା ଗାଁକୁ ଫେରିଆସିଥିଲେ। ଘରେ ପିତାମାତାଙ୍କୁ ଘର କାମରେ ସହଯୋଗ କରିବା ସହିତ ସମୟ ବାହାର କରି ପଢ଼ାପଢ଼ି କରୁଥିଲେ। ଦିନେ ନିଜ ଘର ବାରଣ୍ଡାରେ ବସି ଗୀତ ଗାଉଥିବା ବେଳେ ଗାଁକୁ ଆସିଥିବା କିଛି ଆଗନ୍ତୁକ ନମିତାଙ୍କ ଗୀତର ସ୍ବର ଶୁଣି ଅଟକିଯିବା ସହ ତାଙ୍କ ଗୀତ ରେକର୍ଡିଂ କରି ସୋସାଲ ମିଡିଆରେ ପ୍ରସାର କରିଥିଲେ। ନମିତାଙ୍କ ଗୀତ ମୋବାଇଲରୁ ମୋବାଇଲକୁ ଘୂରିବୁଲି ପ୍ରଶଂସା ସାଉଁଟିଲା। ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମରୁ ଜିଲା, ପଡ଼ୋଶୀ ଜିଲା ଦେଇ ଏ ଖବର ରାଜଧାନୀ ଓ କଟକରେ ପହଞ୍ଚିବା ସହିତ ଖବରକାଗଜରେ ଶିରୋନାମା ପାଲଟିଗଲା।

ସଙ୍ଗୀତ ପ୍ରତି ପିଲାଦିନରୁ ରୁଚି

ନମିତାଙ୍କ ପ୍ରତିଭା ଏବେ ଆଉ ନିଜ ଗାଁ ଚିନ୍ତାଗୁଡ଼ାରେ ସୀମିତ ନାହିଁ। ଲିନାବାଡ଼ି ଆଶ୍ରମ ସ୍କୁଲର ସହପାଠୀଙ୍କ ପ୍ରଶଂସା କେବଳ ନୁହେଁ ଏବେ ତାଙ୍କ ଗୀତକୁ ସାରା ରାଜ୍ୟ ପ୍ରଶଂସା କରୁଛି। ନିଜ ମାତ୍ ଭାଷା କୁଇ ସହିତ ଓଡ଼ିଆ ଓ ହିନ୍ଦୀ ଭାଷାରେ ସେ ଚମତ୍କାର ଶୈଳୀରେ ଗୀତ ଗାଉଛନ୍ତି। ତାଙ୍କ ସୁମଧୁର କଣ୍ଠର ଯାଦୁ ଲକ୍ଷାଧିକ ଶ୍ରୋତାଙ୍କ ମନକୁ କିଣିପାରିଛି। ପିଲାଦିନରୁ ସେ ଗୀତ ପ୍ରତି ଦୁର୍ବଳତା ପ୍ରଦର୍ଶନ କରିଛନ୍ତି। ଟିଭି, ରେଡିଓ ବା ଅନ୍ୟ କେଉଁଠୁ ଗୀତ ଶୁଣିବା ମାତ୍ରେ ସେ ଅଟକି ଯାଆନ୍ତି। ଗୁଣୁଗୁଣେଇ ହୋଇ ସ୍ବର ତୋଳନ୍ତି।

ଇତିମଧ୍ୟରେ ଜୟପୁରର ଏକ ଷ୍ଟୁଡିଓରେ ତାଙ୍କର କେତେକ ଗୀତ ରେକର୍ଡିଂ କରାଯାଇଛି। ଏ ଖବର ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ନିକଟରେ ପହଞ୍ଚିବା ପରେ ସେ ନମିତାଙ୍କୁ ଫୋନ କରି ଶୁଭେଚ୍ଛା ଜଣାଇବା ସହ ଗୀତ ଗାଇବାର ସୁଯୋଗ ଦେଇଥିଲେ। ନମିତା କୋରାପୁଟରୁ କଟକ ଆସି ପହଞ୍ଚିଥିଲେ। ପ୍ରଖ୍ୟାତ ଗୀତିକାର ବିଜୟ ମଲ୍ଲଙ୍କ ଦ୍ବାରା ଓଡ଼ିଆ ଓ କୁଇ ଭାଷାରେ ରଚିତ ଜଗନ୍ନାଥ ଭଜନକୁ ବରିଷ୍ଠ ସଙ୍ଗୀତ ନିର୍ଦେଶକ ପ୍ରେମାନନ୍ଦଙ୍କ ନିର୍ଦେଶନାରେ ଗାଇଥିଲେ। ବିନା ଗୁରୁ ବିନା ତାଲିମରେ ନମିତାଙ୍କ ସାବଲୀଳ ସ୍ବରକୁ ପ୍ରେମାନନ୍ଦ ପ୍ରଶଂସା କରିଥିଲେ। କଟକ ସିଡିଏ ଗଣେଶ ମଣ୍ଡପ ନିକଟରେ ଥିବା ନିଜ ରେକର୍ଡିଂ ଷ୍ଟୁଡିଓରେ ନମିତାଙ୍କ ପ୍ରଥମ ଗୀତ ରେକର୍ଡିଂ ହୋଇଥିଲା।

ସୋସାଲ ମିଡିଆରେ ସେନସେସନ ପାଲଟିଥିବା ନମିତାଙ୍କ ପାଇଁ ଚାରିଆଡ଼ୁ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି। ରାଜ୍ୟ ସରକାର କୋରାପୁଟ ଜିଲା ପ୍ରଶାସନ ଜରିଆରେ ୨୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ଅନୁସୂଚିତ ଜାତି ଓ ଜନଜାତି ବିଭାଗ ପକ୍ଷରୁ ସଙ୍ଗୀତ ମହାବିଦ୍ୟାଳୟରେ ପଢ଼ାଇବା ଦିଗରେ ସହଯୋଗ ପାଇଁ ପ୍ରତିଶ୍ରୁତି ଦିଆଯାଇଛି। ସଙ୍ଗୀତ କ୍ୟାରିଅର ପାଇଁ ନମିତାଙ୍କୁ ସମସ୍ତ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ଅଭିନେତା ସବ୍ୟସାଚୀ ଉପହାର ସ୍ବରୂପ ହାରମୋନିଅମଟିଏ ପ୍ରଦାନର ପ୍ରତିଶ୍ରୁତି ଦେବା ସହ ସଙ୍ଗୀତ କ୍ୟାରିଅରରେ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି।

ପ୍ରଖ୍ୟାତ ସଙ୍ଗୀତ ନିର୍ଦେଶକ ପ୍ରେମାନନ୍ଦଙ୍କ ନିର୍ଦେଶନା ଓ ବିଜୟ ମଲ୍ଲଙ୍କ ଦ୍ବାରା ଲିଖିତ ଜଗନ୍ନାଥ ଭଜନର ରେକର୍ଡିଂ ସରିବା ପରେ ନମିତାଙ୍କ ସ୍ବରରେ ଏକ ନିଆରା ଯାଦୁ ଥିବା କହିଛନ୍ତି ଉଭୟ ଗୀତିକାର ଓ ନିର୍ଦେଶକ। ଦଶମ ଶ୍ରେଣୀର ଏହି ଆଦିବାସୀ ଝିଅଟି ସଙ୍ଗୀତରେ ଏକ ନୂଆ ସମ୍ଭାବନା। ତାଙ୍କ ଭବିଷ୍ୟତ ଉଜ୍ଜ୍ବଳ ବୋଲି କହିଛନ୍ତି ଅଭିନେତ୍ରୀ ବର୍ଷା। ନମିତାଙ୍କ ସହପାଠୀ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସମେତ କୋରାପୁଟ ଜିଲାରେ ନମିତାଙ୍କ ପ୍ରତିଭାକୁ ନେଇ ଚର୍ଚ୍ଚା ଜୋର ଧରିଛି।

ଜୀବନ ଯୁଦ୍ଧରେ ଅପରାଜେୟ ତାରା ଦାସ

ତାରା ଦାସ ଙ୍କ ଜୀବନ ସଂଘର୍ଷ ରୋମାଂଚ ରେ ଭରା । ମାସ ମାସ ଧରି ଅସୁସ୍ଥ ପରେ ତାଙ୍କ ସ୍ୱାମୀଙ୍କ ବିୟୋଗ ତାରା ଙ୍କ ପାଦ ତଳୁ ମାଟି ଖସାଇ ଦେଇଥିଲା । କିଭଳି ଜୀବିକା କରି ନିଜେ ଓ ନିଜର ପୁଅ କୁ ମଣିଷ କରିବେ ସେଇ ଚିନ୍ତା ରେ ସେ ଘାରି ହେଉଥିବା ବେଳେ ପିଲାଦିନେ ନିଜ ମା ଙ୍କ ଠାରୁ ଶିଖିଥିବା ପାରମ୍ପରିକ ଆରିସା ପିଠା କଥା ମନେ ପକାଇଥିଲେ । ତା ପରେ ସେ ଦୃଢ଼ ପ୍ରତିଜ୍ଞା ସହିତ ପିଠା ବ୍ୟବସାୟ ଆରମ୍ଭ କଲେ ଓ ଏଥିରେ ବେଶ ସଫଳ ହେଲେ ।

ଓଡିଶା ର ପ୍ରତି ଘରେ ପିଠା ର ଆଦର । ଏମିତି ପରିବାର ନାହାନ୍ତି ଯିଏକି ପିଠାକୁ ଭଲ ପାଆନ୍ତିନି । ଆମ ରାଜ୍ୟର ଘର ମାନଙ୍କରେ ପିଠା ଗଢିବାର କଳା କୌଶଳ ମହିଳା ମାନଙ୍କ ନିକଟରେ ପିଢୀ ପରେ ପିଢୀ ଧରି ରହିଛି । ମଣ୍ଡା, କାକରା ପୁଳି ଚକୁଳି ଠାରୁ ଆରିସା ଯାଏଁ ଭଳିକି ଭଳି ପିଠା ଗଢିବାରେ ଆମର ମା ଭଉଣୀ ମାନେ ମାହୀର । ଘର ଗୁଡିକରେ ଗଢ଼ା ଯାଉଥିବା ସେହି ସମାନ ପିଠା କିନ୍ତୁ ଅଲଗା ଅଲଗା ପରିବାର ଭିନ୍ନ ଓ ସ୍ୱାତନ୍ତ୍ର୍ୟ ବାରିହୁଏ ।

ଅନେକ ମହିଳା ପିଠା ଗଢାଳି ଙ୍କ ମଧ୍ୟରେ ଏମିତି କେତେଜଣ ମହିଳା ଅଛନ୍ତି ଯେଉଁମାନେ ନିଜର ଏଭଳି ପାରମ୍ପରିକ ବ୍ୟଞ୍ଜନ କୁ ନେଇ ଢେର ଆଗକୁ ଅଗ୍ରଗତି କରିଛନ୍ତି । ଏମିତି ଜଣେ ମହିଳା ହେଉଛନ୍ତି ରାଜମଣି ଫୁଡ୍ସ ର ତାରା ଦାସ ।

ତାରାଙ୍କର ଏହି ରାଜମଣି ଫୁଡ୍ସ ବିଗତ 20 ବର୍ଷ ଧରି ଭୁବନେଶ୍ୱର ର ଚନ୍ଦ୍ରଶେଖର ପୁର ର ନିଜ ଘରେ ଆରିସା ପିଠା ର ନିଆରା ପ୍ରସ୍ତୁତି ଓ ବ୍ୟବସାୟ ସହ ନିୟୋଜିତ ରହିଛି ।

୨ କେଜି ଚାଉଳ ଓ୧ କେଜି ଡାଲଡା ରେ ସେ ୪୦ ଖଣ୍ଡ ଆରିସା ପିଠା ଗଢି ଏହି ବ୍ୟବସାୟ ରେ ପାଦ ଥାପିଥିଲେ । ଏବେ ତାଙ୍କ ନିକଟରେ ୫ ଜଣ ରୁ ଅଧିକ କର୍ମଚାରୀ ଏ କାମରେ ନିୟୋଜିତ । ପରିବାର ର ଆର୍ଥିକ ସମସ୍ୟା ସହିତ ଲଢ଼ୁଥିବା ବେଳେ ତାଙ୍କ ଶାଶୁ ତାଙ୍କୁ ଶିଖାଇଥିବା ଏହି କଳା ବେଶ ସହାୟତା କରିଥିଲା । ଆରିସା ର ରୋଜଗାର ରେ ସେ ନିଜ ପୁଅ କୁ ଏମବିଏ ଯାଏ ପଢ଼ାଇ ପାରିବା ସହିତ ଏବେ ଅନ୍ୟ ପରିବାର ଗୁଡିକ ମୁହଁରେ ଜୀବିକାର ମିଠା ବି ଦେଇପାରୁଥିବାରୁ ଆତ୍ମସନ୍ତୋଷ ଲାଭ କରିଛନ୍ତି ଏହି ମହିଳା ଉଦ୍ୟୋଗୀ । ଏବେ ତାରା ଙ୍କ ଆରିସା ଏକ ବିଶ୍ୱସ୍ତ ବ୍ରାଣ୍ଡ ପାଲଟିଛି । ମୁସୁମୁସିଆ ଗୁଣ ଯୋଗୁଁ ଏହାର ଆଦର ଓ ଚାହିଦା ବଢୁଛି

Leave your comments

Upload your Photo

About Us

READ MORE

Address

Odia Samaj

11, Aradhana Enclave, 2nd floor, R K Puram, Sector-13, New Delhi.

9560606790

011-49429476

[email protected]