ଆସ ଜୀବନଧନ ମୋ ପଖାଳ କଂସା...ପଖାଳ ଦିବସ ଅବସରରେ ସ୍ୱତନ୍ତ୍ର ଉପସ୍ଥାପନା

ଓଡିଆ ଜନଜୀବନ ସହ ପଖାଳର ସମ୍ପର୍କ ଅତ୍ୟନ୍ତ ନିବିଡ଼ ଓ ପୁରାତନ । ପଖାଳ କଂସାର ବାସ୍ନା ହିଁ ଓଡ଼ିଆଙ୍କ ପରିଚୟ । ପଖାଳ କଂସାରୁ ଆରମ୍ଭ ହୁଏ ଜଣେ ଓଡ଼ିଆର ଦିନ । ଖରାଦିନେ କଂସେ ପଖାଳ ଖାଇ ତୋରାଣି ମୁନ୍ଦେ ପିଇ ଦେଲେ ଯୋଉ ଶାନ୍ତି, ଓଃ... ସେ କଥା ଖାଇବା ଲୋକ ହିଁ ଜାଣେ । ପଖାଳ ସାଙ୍ଗରେ ବଡ଼ି ଚୁରା, ଶାଗ ଭଜା, ପାଗପାଣି, ବାଇଗଣ ଭର୍ତା, ଆମ୍ବ ଚଟଣୀ ହେଇଗଲେ ଜମିଗଲା ।

ପଖାଳ କେବଳ ଏକ ଖାଦ୍ୟ ନୁହେଁ, ଏହା ଓଡ଼ିଆଙ୍କ ସଂସ୍କୃତି, ବିଚାରଧାରା, ପରମ୍ପରା ସହ ଓତଃପ୍ରୋତ ଭାବେ ଜଡିତ । ତେବେ ପଖାଳର ଆବିଷ୍କାର ଓଡିଆମାନେ କେବେ କରିଥିଲେ ତାହାର କୌଣସି ସଠିକ୍ ତଥ୍ୟ ନାହିଁ, ସମ୍ଭବତଃ ଅତୀତରେ ଯେତେବେଳେ ଚାଷୀ ପରିବାରମାନଙ୍କରେ ପୁରୁଷମାନେ ସକାଳୁ ଉଠି ଚାଷ କରିବା ପାଇଁ ଯାଉଥିଲେ ହୁଏତ ସେହି ସମୟରେ ପରିବାରର ମହିଳାମାନେ ପୂର୍ବରାତିର ବଳକା ଭାତକୁ ପାଣି କିମ୍ବା ତୋରାଣୀ ଦେଇ ରଖିଥିବେ ଏବଂ ସକାଳୁ ସକାଳୁ ଖାଇବାକୁ ଦେଉଥିବେ । ଏହାଦ୍ୱାରା ପେଟ ପୁରିବା ସହ ଦେହକୁ ଆବଶ୍ୟକୀୟ ଜଳୀୟ ଅଂଶ ମିଳୁଥିବାରୁ ଅଧିକରୁ ଅଧିକ ଲୋକ ଏହି ପ୍ରକ୍ରିୟାରେ ଖାଦ୍ୟକୁ ସଂରକ୍ଷିତ କରି ରଖିବାକୁ ଆଗ୍ରହୀ ହୋଇଥିବେ ।

୨୦୧୧ ମସିହାରୁ କିଛି ଓଡି଼ଆ ଓ ଅଣଓଡ଼ିଆ ଖାଦ୍ୟପ୍ରେମୀଙ୍କ ଉତ୍ସାହରୁ ଏହି ଦିବସ ପାଳନର ପରିକଳ୍ପନା ହୋଇଥିଲା । ୨୦୧୫ରେ ପ୍ରଥମେ ପଖାଳ ଦିବସ ପାଇଁ ଟୁଇଟର ଟ୍ରେଣ୍ଡ ଆରମ୍ଭ ହୋଇଥିଲା । ବର୍ତ୍ତମାନ ବିଶ୍ୱର କୋଣ ଅନୁକୋଣରେ ଏହି ଦିବସ ପାଳନ ହେବା ଆରମ୍ଭ ହୋଲାଣି । ମାର୍ଚ୍ଚ ୨୧ ତାରିଖରେ ଦିନ ଓ ରାତିର ଅବଧି ସମାନ ହୋଇଥାଏ, ଅର୍ଥାତ ଦିନ ୧୨ ଘଣ୍ଟା ଓ ରାତି ୧୨ ଘଣ୍ଟା ହୋଇଥାଏ । ଏହି ଦିନଠାରୁ ଦିନର ଅବଧି ବୃଦ୍ଧି ପାଏ । ଏହା ସହ ରୌଦ୍ରତାପ ବୃଦ୍ଧି ଘଟିଥାଏ । ଏଥିରୁ ରକ୍ଷା ପାଇବା ପାଇଁ ଓଡ଼ିଆମାନେ ପଖାଳ ଓ ତୋରାଣିକୁ ଆଦରି ନେଇଥାନ୍ତି । ତେଣୁ ଖରାଦିନ ଆରମ୍ଭ ପୂର୍ବରୁ ମାର୍ଚ୍ଚ ୨୦ ତାରିଖକୁ ପଖାଳ ଦିବସ ରୂପେ ପାଳନ କରାଯାଉଛି ।

ଗ୍ରୀଷ୍ମପ୍ରଧାନ ଆମ ଦେଶର ଦକ୍ଷିଣ ପୂର୍ବରେ ଅବସ୍ଥିତି ହେତୁ ଓଡିଶାରେ ଗରମ ଅଧିକମାତ୍ରାରେ ଅନୁଭବ ହୁଏ ଓ ବର୍ଷର ଅଧିକାଂଶ ସମୟ ଏଠାରେ ଉଷ୍ମତା ବଜାୟ ରହେ । ଉଷ୍ମତା ହେତୁ ଶରୀରରେ ବୃଦ୍ଧି ପାଉଥିବା ଉତ୍ତାପକୁ ନିୟନ୍ତ୍ରଣ କରିବା ପାଇଁ ପଖାଳ ସେବନ କରାଯାଇଥାଏ । ତେଣୁ ପଖାଳର ଚାହିଦା ସବୁବେଳେ ରହିଛି । ଖରାଦିନେ ହେଉଥିବା ଅଂଶୁଘାତରୁ ରକ୍ଷା ପାଇବାର ଏହା ଏକ ବିଶେଷ ସାଧନ । ପଖାଳ ଖାଉଥିବା ଲୋକଙ୍କ ପାଖରେ ଜଳୀୟଅଂଶ ହ୍ରାସଜନିତ କଷ୍ଟ ଅନୁଭୂତ ହୁଏନାହିଁ, ତେଣୁ ସେମାନେ ଅଧିକ ପରିଶ୍ରମ କରିବା ସତ୍ତ୍ୱେ ଅଂଶୁଘାତର ଶିକାର ହୋଇନଥାନ୍ତି । ସେଥିପାଇଁ ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାସ ଗାଇଥିଲେ,

ଆସ ଜୀବନଧନ ମୋ ପଖାଳ କଂସା,
ସଜନୀରେ ତୋ ବିହୁନେ ଉଡିଲା ହଂସା

ଓଡିଶାରେ ପ୍ରାୟତଃ ୧୦ପ୍ରକାର ପଖାଳ ସେବନ କରାଯାଉଥିବାର ଦେଖାଯାଏ । ସେଗୁଡିକ ହେଲା, ସଜ ପଖାଳ- ଗରମ ଭାତରୁ ପେଜ ନ ଗାଳି, ସେଥିରେ ଥଣ୍ଡାପାଣି, ଭୃସଙ୍ଗା ପତ୍ର, ଆମ୍ବକସି ଅଦା, କଞ୍ଚାଲଙ୍କା ଆଦି ମିଶାଇ ଏହାକୁ ପ୍ରସ୍ତୁତ କରାଯାଏ । ବାସି ପଖାଳ- ଭାତକୁ ପଖାଳି ୧୦-୧୨ ଘଣ୍ଟା ବା ଦିନେ ପରେ ଖିଆଯାଇଥାଏ । ଦହି ପଖାଳ- ସଜ ବା ବାସି ଭାତରେ ଦହି ଓ ଭଜା ଜୀରା, ରସୁଣ, ଭୁସଙ୍ଗା ପତ୍ର ଆଦି ଛୁଙ୍କ ଦେଇ ପ୍ରସ୍ତୁତ କରାଯାଇଥାଏ । ଚାଇଁ ପଖାଳ ବା ଗରମ ପଖାଳ- ସଜ ଭାତରେ ଗରମ ନଛାଡୁଣୁ ପାଣି ମିଶାଇ ତିଆରି କରାଯାଏ ଓ ଗରମ ଗରମ ଖିଆଯାଏ । ଟଭା ପଖାଳ ବା ଲେମ୍ବୁ ପଖାଳ- ସଜ ଭାତରେ ଟଭା ରସ ବା ଲେମ୍ବୁ ରସ ମିଶାଇ ପ୍ରସ୍ତୁତ କରାଯାଏ । ଅଦା ପଖାଳ- ସଜ ବା ବାସି ପଖାଳରେ ଅଦା ଛେଚି ମିଶାଯାଏ, ଛୁଙ୍କ ମଧ୍ୟ କରାଯାଇପାରିବ । ଆମ୍ବ ପଖାଳ- ସଜ ପଖାଳରେ କଞ୍ଚା ଖଟା ଆମ୍ବକୁ ଲଙ୍କାରେ ଛେଚି ପକାଯାଏ । କାକୁଡି ପଖାଳ- ବାସି ପଖାଳରେ କୋରା କାକୁଡି ମିଶାଇ ପ୍ରସ୍ତୁତ ହେଉଥିବା ପଖାଳ । ବଡି ପଖାଳ- ଚାଇଁ ପଖାଳରେ ଲଙ୍କା ବଡିଚୁରା ମିଶାଇ କରାଯାଇଥାଏ । ଧୁଆ ପଖାଳ- ଦୁଇ ବା ତଦୁର୍ଦ୍ଧ ଦିନ ରହିଥିବା ଅତ୍ୟନ୍ତ ଆମ୍ବିଳା ବାସି ପଖାଳକୁ ସଜ ପାଣିରେ ଧୋଇ ଏହାକୁ ପ୍ରସ୍ତୁତ କରାଯାଏ । ଉପଲବ୍ଧ ସାମଗ୍ରୀ ଅନୁସାରେ ଓଡ଼ିଆମାନେ ନିଜ ଘରେ ଏହି ସବୁ ପଖାଳ ପ୍ରସ୍ତୁତ କରିଥାନ୍ତି ।

ପଖାଳ କଂସା

ଦିନେ ଗରିବ ଘରର ସାହା ହେଉଥିବା ପଖାଳ ଏବେ ସମସ୍ତଙ୍କର ପ୍ରିୟ । ପଲ୍ଲୀରୁ ଆସି ପଞ୍ଚତାରକା ହୋଟେଲର ଖାଦ୍ୟ ସାରଣୀରେ ସ୍ଥାନ ପାଇଛି ପଖାଳ । ଗରିବ ଘରେ ପଖାଳ କଂସା ସାଥିରେ ଭାଡିରେ ଉକୁଚା ହୋଇଥିବା ଦେଶୀ ପିଆଜ, ଆମ୍ବୁଲ, ଲଙ୍କା ଲୁଣ ପାଗଟେ ହେଲେ ଚାଲିଲା । ତେବେ ପଖାଳ ଭାତରେ କାକୁଡି କୋରା, ଆମ୍ବ କସିଆ ଅଦା, ଲଙ୍କା ପିଆଜ ପକାଇ ଦହି ଛୁଙ୍କ ମିଶାଇ ବଡ଼ି ଚୁରା, ଶାଗ ଭଜା, ବାଇଗଣ ଭର୍ତା, ଚୁନା ମାଛ ଭଜା ସହିତ ଖାଇବାକୁ ଭଲ ଲାଗେ ।

ପଖାଳ ଯେ ଏକ ଖାଦ୍ୟ ତାହା ନୁହେଁ, ଏହାର ଅନେକ ଔଷଧୀୟ ଗୁଣ ମଧ୍ୟ ରହିଛି । ପଖାଳ ହେଉଛି ପିତ ନାଶକ । ପିତ ରୋଗ ବିସୂଚିକା, ଅତିସାର ଆଦିରେ ପଖାଳ ତୋରାଣି ଅତ୍ୟନ୍ତ ପ୍ରଶମନକାରୀ ଓ ଉପକାରୀ । ଗରମ ପଖାଳ ଖାଇ ତୋରାଣି ମୁନ୍ଦେ ପିଇ ଦେଲେ କୋଷ୍ଠକାଠିନ୍ୟ, ଅଗ୍ନିମାନ୍ଦ୍ୟ, ଅଜୀର୍ଣ୍ଣ ଓ ପେଟବ୍ୟଥା ଭଳି ସମସ୍ୟାରୁ ମୁକ୍ତି ମିଳିଥାଏ । ଆସାମ କୃଷି ବିଶ୍ୱବିଦ୍ୟାଳୟର ମଧୁମିକା ବରୁଆ ଓ ଗୁଣଜିତ ଗୋସ୍ୱାମୀଙ୍କ ଦ୍ୱାରା କରାଯାଇଥିବା ଏକ ଗବେଷଣା ଅନୁସାରେ ୧୦୦ ଗ୍ରାମ ଭାତରେ ମାତ୍ର ୩.୪ ମିଲିଗ୍ରାମ ଲୌହ ରହିଥାଏ । କିନ୍ତୁ ୧୨ ଘଣ୍ଟ।। ପଖାଳ ହେଲା ପରେ ଲୌହ ପରିମାଣ ୭୩.୯୧ ମିଲିଗ୍ରାମକୁ ବଢି ଯାଇଥାଏ । ସେହିପରି ସୋଡିୟମ୍ ୪୭୫ ମିଲିଗ୍ରାମରୁ କମି ୩୦୩ ମିିଲିଗ୍ରାମ, ପୋଟାସିୟମ ୮୩୯ ମିଲିଗ୍ରାମ ଓ କ୍ୟାଲସିୟମ୍ ୨୧ ମିଲିଗ୍ରାମକୁ ବଢି ୮୫୦ ମିଲିଗ୍ରାମ ହୋଇଯାଇଥାଏ। ସାଧା ଭାତରେ ଥିବା ସ।।ଇଟିକ ଏସିଡ୍ ଓ ଓଲିଗୋସାକାରାଇଡସ୍ ଯୋଗୁଁ ଏହାକୁ ହଜମ କରିବାରେ ଅସୁବିଧା ହୋଇଥାଏ କିନ୍ତୁ ପଖାଳିବା ପରେ ଏ ଅସୁବିଧା ଦୂର ହୋଇ ହଜମ କ୍ରିୟା ସହଜ ହୋଇଥାଏ ।

ପଖାଳର ଧାର୍ମିକ ମହତ୍ତ୍ଵ୍ୱ

ଖାଲି ଖାଦ୍ୟ ରୂପେ ନୁହେଁ, ଦେବାଦେବୀଙ୍କ ପାଖରେ ମଧ୍ୟ ପଖାଳ ଭୋଗ କରାଯିବାର ପରମ୍ପରା ରହିଛି । ବିଜୟା ଦଶମୀରେ ମା ଦୁର୍ଗାଙ୍କ ନିକଟରେ ଦହି ପଖାଳ ଭୋଗ ଲାଗି କରାଯାଇଥାଏ । ଗ୍ରୀଷ୍ମଦିନେ ଶ୍ରୀଜଗନ୍ନାଥଙ୍କ ପାଖରେ ପଖାଳ ଭୋଗ କରାଯାଏ । ବଡଦେଉଳରେ ତିନି ଠାକୁରଙ୍କ ପାଖରେ ଲାଗି ହେଉଥିବା ଛପନ ଭୋଗ ମଧ୍ୟରେ ପଖାଳର ସ୍ଥାନ ମଧ୍ୟ ରହିଛି । ଗ୍ରୀଷ୍ମ ପ୍ରବାହରୁ ରକ୍ଷା ପାଇବା ପାଇଁ ଚନ୍ଦନ ଯାତ୍ରା ଅବସରରେ ଦହି ପଖାଳ ମଣୋହି କରି ମଦନମୋହନ ଚାପ ଖେଳ ପାଇଁ ବାହାରନ୍ତି । ଖରାଦିନେ ମହାପ୍ରସାଦକୁ ପଖାଳ କରି ମଧ୍ୟ ସେବନ କରାଯାଇଥାଏ । ଲିଙ୍ଗରାଜ ମନ୍ଦିରରେ ମଧ୍ୟ ଠାକୁରଙ୍କୁ ବଡସିଂହାର ଭୋଗ ବେଳେ ପଖାଳ ସାଙ୍ଗକୁ କଦଳୀ ଭଜା ଅର୍ପଣ କରାଯାଏ ।

ମଣିଷ ଯେତେ ଆଗକୁ ଗଲେ ମଧ୍ୟ ସଭ୍ୟତା ଓ ସଂସ୍କୃତି ସର୍ବଦା ନୂଆ ରୂପରେ ନୂଆ ଢଙ୍ଗରେ ତା ପାଖରେ ପହଁଚିଯାଏ । ତାକୁ ଛାଡି ମଣିଷ ସମାଜର କଳନା କରାଯାଇନପାରେ । ଗରିବ ଓଡ଼ିଆ ଘରର ପଖାଳ ଆଜି ପଞ୍ଚତାରକା ହୋଟେଲରେ ପହଁଚିଲାଣି ସତ, ହେଲେ ଏହି ମନ ସେହି ଗାଁ ର ବାସି ପଖାଳ ପାଖରେ ହିଁ ରହିଛି । ସେଥିପାଇଁ ତ କୁହାଯାଏ..

ଝୁରି ହେଉଛି ଦିନକାଳ, ମନ ଖୋଜୁଛି ସେ କାଳ ପଖାଳ ।

Leave your comments

Upload your Photo

About Us

READ MORE

Address

Odia Samaj

11, Aradhana Enclave, 2nd floor, R K Puram, Sector-13, New Delhi.

9560606790

011-49429476

[email protected]