ତ୍ରିବେଣୀ ଅମାବାସ୍ୟା-ଯାଜପୁର ମା ବିରଜାଙ୍କ ସ୍ୱନକ୍ଷତ୍ରତ୍ସୋବ

କଳା, ସଂସ୍କୃତି ତଥା ପ୍ରାକୃତିକ ସୈାନ୍ଦର୍ଯ୍ୟ ଭରା ରାଜ୍ୟ ଓଡ଼ିଶାରେ ପ୍ରତ୍ୟେକ ଓଡ଼ିଆ ମାସର କିଛି ବୈଶିଷ୍ଟ୍ୟତା ରହିଛି । ଏଠି ବାର ମାସରେ ପାଳିତ ହୁଏ ତେର ପର୍ବ, ତା ସାଙ୍ଗେ ପୁଣି ନାନା ଯାନିଜାତରା । ଏସବୁ ଭିତରେ ପ୍ରତି ପର୍ବପର୍ବାଣୀର ବିଶେଷତ୍ୱ ଗୁଢ ତତ୍ତ୍ୱରେ ଭରା ଜଗନ୍ନାଥ ସଂସ୍କୃତି ସହ ଜଡ଼ିତ । ତନ୍ମଧ୍ୟରୁ ତ୍ରିବେଣୀ ଅମାବାସ୍ୟା ଅନ୍ୟତମ । ଏହି ଦିନଟି ଓଡ଼ିଶାସ୍ଥିତ ଯାଜପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ  ମା ବିରଜାଙ୍କ ସ୍ୱନକ୍ଷତ୍ର ଭାବେ ମଧ୍ୟ ପାଳିତ ହୁଏ । ଏହି ଦିନ ମା ବିରଜାଙ୍କୁ ଗାୟତ୍ରୀ ବା ସାବିତ୍ରୀ ମନ୍ତ୍ରରେ ପୂଜା କରାଯାଏ । ପ୍ରଥମେ ଚକୁଳି ପିଠା ଲାଗି ହେବା ପରେ ମାଙ୍କ ମହାସ୍ନାନ ହୋଇ ସୁନା ବେଶ ଏବଂ ଏହା ପରେ ସାବିତ୍ରୀ ବେଶ କରାଯାଏ ।

ଓଡ଼ିଶାରେ ମାଘ ମାସର କୃଷ୍ଣପକ୍ଷ ଅମାବାସ୍ୟା ତିଥିରେ ତ୍ରିବେଣୀ ଅମାବାସ୍ୟା ପାଳିତ ହୁଏ । ଏହି ଦିନଟିକୁ ବର୍ଷର ଏକ ପବିତ୍ର ଦିନ ବୋଲି କୁହାଯିବା ସହ ଲକ୍ଷ ଲକ୍ଷ ଲୋକ ପବିତ୍ର ନଦୀ ଓ ପୁଷ୍କରିଣୀରେ ମଧ୍ୟ ସ୍ନାନ କରନ୍ତି । ଏହି ସମୟରେ ପୁରୀ ଜିଲ୍ଲାସ୍ଥିତ ଭାପୁର ଗ୍ରାମରେ ତ୍ରିବେଣୀ ଯାତ୍ରା ମଧ୍ୟ ଅନୁଷ୍ଠିତ ହୁଏ । ଏହି ଦିନଠାରୁ ପୁରୀ ଶ୍ରୀମନ୍ଦିରରେ ସାଗର ବିଜେ ନୀତି ଅନୁଷ୍ଠିତ ହୁଏ । ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଚଳନ୍ତି ପ୍ରତିମା ଅମାବାସ୍ୟା ନାରାୟଣ ପାଲିଙ୍କିରେ ବସି ବିମାନବଡ଼ୁଙ୍କ ଦ୍ୱାରା ମହୋଦଧିକୁ ବିଜେ କରନ୍ତି ।

ପଶ୍ଚିମ ଓଡ଼ିଶାରେ ଏହି ଦିନ ବିବାହିତା ମହିଳାମାନେ ନିଜ ସ୍ୱାମୀଙ୍କ ଦୀର୍ଘ ଜୀବନ କାମନା କରି ବ୍ରତ ରଖିବା ସହ ଶିବ ପାର୍ବତୀଙ୍କୁ ତୁଳସୀ, ବରଗଛ ଅଥବା ଓସ୍ତଗଛ ତଳେ ପୂଜା କରନ୍ତି । ଏହି ଗଛ ତଳେ, ଦୁଇଟି ଗୁଆରେ ହଳଦୀ ଲଗାଇ, ଅଁଳା ସହ ଶିବ ପାର୍ବତୀ ରୂପେ ପୂଜା କରାଯାଏ । ଠାକୁରଙ୍କୁ ସାତ ପ୍ରକାର ଫୁଲ ଓ ଫଳ ଭୋଗ ରୂପେ ଅର୍ପଣ କରାଯାଏ । ବ୍ରତ ରଖିଥିବା ନାରୀ ସାରା ଦିନ ବ୍ରତ ରଖିବା ପରେ ସ୍ୱାମୀଙ୍କ ପାଦ ଧୋଇ ମଧ୍ୟାହ୍ଣରେ ଫଳମୂଳ ଆହାର କରି ବ୍ରତ ଉଜ୍ଜାପନ କରନ୍ତି ।

ପୈାରାଣିକ ମତ

ପୈାରାଣିକ ମତାନୁଯାୟୀ, ଅବନ୍ତୀ ରାଜ୍ୟର ରାଜା ଚନ୍ଦ୍ରଧ୍ୱଜ ବହୁ ପୂଜାର୍ଚ୍ଚନା କରିବା ପରେ ତାଙ୍କୁ ଏକ କନ୍ୟା ସନ୍ତାନ ପ୍ରାପ୍ତ ହୋଇଥିଲା । ରାଜକୁମାରୀ ଚନ୍ଦ୍ରକାନ୍ତିଙ୍କ ରୂପ ଯେମିତି ଗୁଣ ମଧ୍ୟ ସେମିତି । ସେ ବେଶ୍ ବୁଦ୍ଧିମତୀ ମଧ୍ୟ ଥିଲେ, ମାତ୍ର ତାଙ୍କୁ ସୁନ୍ଦର ବରପାତ୍ରଟିଏ ମିଳୁନଥିଲା । ଏକଦା ରାତିରେ ତାଙ୍କୁ ଜଣେ ରାଜକୁମାରଙ୍କ ସ୍ୱପ୍ନ ଆସିଲା । ହଠାତ୍ କିଛି ଦିନ ପରେ, ଅଙ୍ଗ ରାଜା ବିଜୟକେତୁ ତାଙ୍କ ପୁତ୍ର ବଜ୍ରବାହୁ ସହ ଅବନ୍ତି ରାଜ୍ୟ ଭ୍ରମଣରେ ଗଲେ । ଚନ୍ଦ୍ରକାନ୍ତି ଦେଖିଲେ ଯେ, ତାଙ୍କ ସ୍ୱପ୍ନରେ ଆସିଥିବା ରାଜକୁମାର ହେଉଛନ୍ତି ବଜ୍ରବାହୁ ତେଣୁ ସେ ତାଙ୍କୁ ବିବାହ କରିବାକୁ ମନସ୍ଥ କଲେ । ମାତ୍ର ରାଜା ଚନ୍ଦ୍ରଧ୍ୱଜ ଜାଣିବାକୁ ପାଇଲେ ଯେ, ବଜ୍ରବାହୁଙ୍କ ଶିଘ୍ର ମୃତୁ୍େୟଯାଗ ରହିଛି । ତେଣୁ ସେ ଏ ବିବାହ ପାଇଁ ରାଜି ହେଲେ ନାହିଁ । କିନ୍ତୁ ରାଜକୁମାରୀ ଚନ୍ଦ୍ରକାନ୍ତି ନିଜ ଜିଦ୍‌ରେ ଅଟଳ । ପରିଶେଷରେ ଏ ବିବାହ ସଂପନ୍ନ ହେଲା ଏବଂ ଉଭୟ ଖୁସିରେ ଜୀବନ ବିତାଇଲେ । କିନ୍ତୁ ସ୍ୱାମୀଙ୍କ ଭବିଷ୍ୟ ବିଷୟରେ ଚନ୍ଦ୍ରକାନ୍ତି ଜାଣିଥିଲେ ଏଣୁ ସେ ସର୍ବଦା ନିଜ ସ୍ୱାମୀଙ୍କ ପାଖେ ପାଖେ ରହୁଥିଲେ ।

ଏକଦା ସ୍ୱାମୀ ସ୍ତ୍ରୀ ଉଭୟ ପବିତ୍ର ତ୍ରିବେଣୀ ସଙ୍ଗମକୁ ଯାଇଥିଲେ । ରାଜା ବଜ୍ରବାହୁଙ୍କ ଶରୀର ଅସୁସ୍ଥ ହୋଇପଡ଼ିବାରୁ ସେ ଚେତାଶୂନ୍ୟ ହୋଇଗଲେ । ରାଣୀ ଚନ୍ଦ୍ରକାନ୍ତି ନିଜ ଜୀବନ ଝାସ ଦେବାକୁ ଚାହୁଁଥିଲେ , ତେଣୁ ସେ ସଙ୍ଗମ ସ୍ଥଳୀକୁ ଯାଇ ଗଭୀର ଜଳରାଶି ମଧ୍ୟକୁ ଡେଇଁବା ପାଇଁ ଭାବିଲେ । ଏହି ସମୟରେ ତ୍ରିଦେବୀ (ଗଙ୍ଗା, ଯମୁନା ଓ ସରସ୍ୱତୀ) ଉଭା ହୋଇ କହିଲେ ଯେ, ଯାଅ ଦେଖ, ତୁମେ ସ୍ୱାମୀ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ଅଛନ୍ତି । ତୁମେ ତୁମ ନିଜ ଜୀବନ ଝାସ ଦେବାର କୈାଣସି କାରଣ ନାହିଁ । କେବଳ ଏତିକି ମନେ ରଖ, ପ୍ରତି ବର୍ଷ ଏହି ଦିନଟିକୁ ତୁମେ ତ୍ରିବେଣୀ ଅମାବାସ୍ୟା ଭାବେ ପାଳନ କରିବ ।

ଏଣୁ କୁହାଯାଏ ତ୍ରିବେଣୀ ଅମାବାସ୍ୟାର ତାତ୍ପର୍ଯ୍ୟତା ତ୍ରିବେଣୀ ସଙ୍ଗମ (ଯେଉଁଠାରେ ଗଙ୍ଗା, ଯମୁନା ଓ ସରସ୍ୱତୀ ତିନୋଟି ପବିତ୍ର ନଦୀର ସଙ୍ଗମ ହୋଇଛି) ସହିତ ଓତପ୍ରୋତଃ ଭାବେ ଜଡ଼ିତ । କୁମ୍ଭମେଳା ସମୟରେ ଏହି ଦିନଟିକୁ ଅତ୍ୟନ୍ତ ପବିତ୍ର ବୋଲି କୁହାଯାଉଥିବାରୁ ଉତ୍ତରପ୍ରଦେଶସ୍ଥିତ ପ୍ରୟାଗରାଜରେ ମାଘ ମେଳା ମଧ୍ୟ ଅନୁଷ୍ଠିତ ହୁଏ । ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଏହି ଅମାବାସ୍ୟା ମୈାନୀ ଅମାବାସ୍ୟା ଭାବେ ମଧ୍ୟ ପାଳିତ ହୁଏ ।

Leave your comments

Upload your Photo

About Us

READ MORE

Address

Odia Samaj

11, Aradhana Enclave, 2nd floor, R K Puram, Sector-13, New Delhi.

9560606790

011-49429476

[email protected]