ମକର ସଂକ୍ରନ୍ତି: ଭାଇଚାରା ଓ ଏକତାର ପର୍ବ

ଉତ୍କୃଷ୍ଟ କଳା ଓ ସଂସ୍କୃତିର ରାଜ୍ୟ ଓଡ଼ିଶା । ଏହାର ସଂସ୍କୃତି ଓ ପରମ୍ପରା ନିଆରା । ବାର ମାସରେ ତେର ପର୍ବ ଏହାର ବିଶେଷତ୍ୱ । ସେଥିମଧ୍ୟରୁ ମକର ସଂକ୍ରାନ୍ତି ଅନ୍ୟତମ । ଓଡ଼ିଶାରେ ପ୍ରତି ମାସରେ ସଂକ୍ରାନ୍ତି ପାଳିତ ହେଉଥିବା ବେଳେ ମକର ସଂକ୍ରାନ୍ତିର ସ୍ଥାନ ସ୍ୱତନ୍ତ୍ର । ସେହିଭଳି ଭୌଗୋଳିକ ଦୃଷ୍ଟିକୋଣରୁ ଏହି ଦିନ ସୂର୍ଯ୍ୟ କର୍କଟ କ୍ରାନ୍ତିରୁ ଆସି ମକର କ୍ରାନ୍ତିରେ ଅବସ୍ଥାନ କରିଥାନ୍ତି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ଦିନ ସୂର୍ଯ୍ୟ ଧନୁ ରାଶିରୁ ବାହାରି ମକର ରାଶିରେ ପ୍ରବେଶ କରିବା ସହ ଉତ୍ତରାୟଣ ଗତି ଆରମ୍ଭ ହୋଇଥାଏ । ଉତ୍ତରାୟଣଠାରୁ ଦେବତାମାନଙ୍କର ଦିନ ଆରମ୍ଭ ହୁଏ ଓ ଦକ୍ଷିଣାୟନରେ ରାତି ହୁଏ ବୋଲି ବିଶ୍ୱାସ କରାଯାଏ । ସେଥିପାଇଁ ଏହି ଦିନ ଅତ୍ୟନ୍ତ ଶୁଭ ବୋଲି ମନାଯାଏ । ମକର ଚାଉଳ ହେଉଛି ଏହି ପର୍ବର ବିଶେଷତ୍ୱ ।

ପ୍ରତି ସଂକ୍ରାନ୍ତିରେ ସୂର୍ଯ୍ୟ ଗୋଟିଏ ରାଶିରୁ ଅନ୍ୟ ରାଶିକୁ ଗମନ କରି ସେଥିରେ ଏକ ମାସ ଅବସ୍ଥାନ କରନ୍ତି । ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟ ଉତ୍ତରାୟଣ ହୋଇ ମକର ରାଶିକୁ ଆସନ୍ତି । ଏହି ଦିନ ସୂର୍ଯ୍ୟ ଉତ୍ତର ଦିଗକୁ ଗତି କରି ଛଅ ମାସ ଅବସ୍ଥାନ କରିଥିବାରୁ ବିବାହ, ବ୍ରତ ଆଦି ସମସ୍ତ ଶୁଭ କାର୍ଯ୍ୟ ଅନୁଷ୍ଠିତ ହୁଏ । ଏହି ସମୟରେ ଅଭିଷ୍ଟ ସିଦ୍ଧି ପାଇଁ ସୂର୍ଯ୍ୟଙ୍କୁ ଉପାସନା କରାଯାଏ । ଓଡିଆ ପ୍ରବାଦ ଅନୁଯାୟୀ ମକର ଠାରୁ ଦିନ ବକର ହୁଏ, ଅର୍ଥାତ ଦିନ କ୍ରମଶଃ ବଡ ହୁଏ ଓ ସୂର୍ଯ୍ୟଙ୍କ ତେଜ ପ୍ରଖର ହୁଏ । ଏହି ଦିନ ପ୍ରତ୍ୟୁଷରୁ ନଦୀ, ପୁଷ୍କରିଣୀରେ ସ୍ନାନ କରି ସୂର୍ଯ୍ୟଙ୍କୁ ଜଳ ତର୍ପଣ କଲେ, ସକଳ ପାପରୁ ମୁକ୍ତି ମିଳିବା ସହ ପୂଣ୍ୟ ପ୍ରାପ୍ତି ହୋଇଥାଏ । ତେଣୁ ଆବାହମାନ କାଳରୁ ସରୋବର, ନଦୀ ତଟ ଓ ମହାଦଧି ତୀରରେ ମକର ମେଳା, ସାଧୁସଙ୍ଗ ଓ ମହୋତ୍ସବର ପରମ୍ପରା ଚାଲିଆସିଛି । କପିଳ ମୁନୀଙ୍କ ଅଭିଶାପରୁ ନିଜ ପୂର୍ବଜଙ୍କୁ ଶାପମୁକ୍ତ କରି ମୋକ୍ଷ ପ୍ରଦାନ ପାଇଁ ସୂର୍ଯ୍ୟବଂଶୀ ରାଜା ଭଗୀରଥ ତପସ୍ୟା କରି ଗଙ୍ଗାଙ୍କୁ ଧରାପୃଷ୍ଠକୁ ଆଣିପାରିଥିଲେ । ଗଙ୍ଗାଜଳ, ଚାଉଳ ଓ ତିଳରେ ଶ୍ରାଦ୍ଧ କରି ପୂର୍ବଜଙ୍କୁ ମୁକ୍ତି ଦେଇଥିଲେ । ସେବେଠାରୁ ମାଘ ମାସ ମକର ସଂକ୍ରାନ୍ତିରେ ସ୍ନାନ ଓ ତିଳତର୍ପଣର ପରମ୍ପରା ରହିଆସିଛି ।

ମକର ଚାଉଳ

ଓଡ଼ିଶାର କୃଷି ଓ ପର୍ବପର୍ବଣୀ ପରସ୍ପର ସହ ଓତଃପ୍ରୋତ ଭାବେ ଜଡିତ । କୃଷି ଓ ଓଡ଼ିଶାର ଅନେକ ପର୍ବ ପରି ଏହି ପର୍ବ ମଧ୍ୟ କୃଷିଭିତ୍ତିକ ଗଣପର୍ବ ଅଟେ । ମକର ସଂକ୍ରାନ୍ତି ବେଳକୁ ଓଡିଶାରେ ଧାନ, ଆଖୁ ପରି ନୂତନ ଫସଲ ଅମଳ ହୋଇଥାଏ । ସେହି ନୂଆ ଧାନରୁ ପ୍ରସ୍ତୁତ ଅପକ୍ୱ ଅରୁଆ ଚାଉଳ ଗୁଣ୍ଡ, ନୂଆ ଗୁଡ଼, ଛେନା, ନଡିଆ, ପାଚିଲା କଦଳୀ, ସେଓ, ଅଙ୍ଗୁର, ଆଖୁ, କ୍ଷୀର, ଘିଅକୁ ମିଶାଇ ଏକ ସୁସ୍ୱାଦୁ ଭୋଗ ପ୍ରସ୍ତୁତ କରି ଗ୍ରାମଦେବତୀ ଓ ଧାନଖଳାରେ ଭୋଗ ଲଗାଯାଏ । ଏହାକୁ ମକର ଚାଉଳ କୁହାଯାଏ । ଓଡିଶାର ଏହି ମକର ଚାଉଳ ହେଉଛି ମକର ସଂକ୍ରାନ୍ତିର ବିଶେଷତ୍ୱ । ପରସ୍ପରକୁ ଏହି ମକର ଚାଉଳ ଖୁଆଇ ମକର ବା ମିତ ବସିବାର ପରମ୍ପରା ମଧ୍ୟ ରହିଛି ।

ଶ୍ରୀମନ୍ଦିରରେ ମକର ସଂକ୍ରାନ୍ତି

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦ୍ୱାଦଶ ଯାତ ମଧ୍ୟରୁ ଅନ୍ୟତମ ଉତ୍ତରାୟଣ ଯାତ୍ରା ବା ମକର ସଂକ୍ରାନ୍ତି ମହାସମାରୋହରେ ପାଳିତ ହୋଇଥାଏ । ଏହିଦିନ ଚତୁର୍ଦ୍ଧା ମୂର୍ତ୍ତୀଙ୍କୁ ମକର ଚୂଳ ଲାଗି ହୁଏ । ବଡ ଓଡିଆ ମଠରୁ ଏଥିପାଇଁ ସାମଗ୍ରୀ ଆସିଥାଏ । ପ୍ରଭୁଙ୍କୁ ସ୍ୱତନ୍ତ୍ର ବେଶ କରାଯିବା ସହ ମକର ଭୋଗ ଲାଗି କରାଯାଏ । ସ୍କନ୍ଧ ପୁରାଣରେ ବର୍ଣ୍ଣିତ ଅଛି, ମକର ସଂକ୍ରାନ୍ତିରେ ମହୋଦଧିରେ ସ୍ନାନ କରି କଳ୍ପବଟ ପ୍ରଦକ୍ଷିଣ ପୂର୍ବକ ଚତୁର୍ଦ୍ଧା ମୂର୍ତ୍ତୀଙ୍କୁ ଦର୍ଶନ କଲେ, ଅଶେଷ ପୂଣ୍ୟ ଲାଭ ହୋଇଥାଏ ।

ପର୍ବ ଏକ, ନାମ ଅନେକ

ସମଗ୍ର ଓଡ଼ିଶାରେ ମକର ସଂକ୍ରାନ୍ତିକୁ ଗଣପର୍ବ ଭାବେ ପାଳନ କରାଯାଉଥିବା ବେଳେ ଉତ୍ତର ଓଡ଼ିଶାର ବାଲେଶ୍ୱର, ମୟୁରଭଞ୍ଜ, ସୁନ୍ଦରଗଡ଼ ଓ କେନ୍ଦୁଝର ଜିଲ୍ଲାରେ ଏହାକୁ ବେଶ ଧୁମ୍ ଧାମ୍ ରେ ପାଳନ କରାଯାଏ । ଆଦିବାସୀମାନଙ୍କର ମକର ଯାତ୍ରା ଏକ ପ୍ରଧାନ ପର୍ବ । ବିଶେଷ କରି ମୟୁରଭଞ୍ଜ, ସୁନ୍ଦରଗଡ଼ ଓ କେନ୍ଦୁଝରରେ ମକର ସଂକ୍ରାନ୍ତିକୁ ଟୁସୁ ପର୍ବ ଭାବେ ପାଳନ କରାଯାଏ । ପାହାଡ଼ ଉପରେ ଟୁସୁ ଠାକୁରାଣୀଙ୍କୁ ସ୍ଥାପନ କରି ତାଙ୍କୁ ପୂଜା କରିବା ସହ ଗଞ୍ଜା ଲଢେଇ କରାଯାଏ । କେବଳ ଓଡ଼ିଶା ନୁହେଁ, ଭାରତର ବିଭିନ୍ନ ପ୍ରାନ୍ତରେ ମଧ୍ୟ ମକର ସଂକ୍ରାନ୍ତି ବେଶ ଉତ୍ସାହର ସହ ପାଳନ କରାଯାଏ । ଦକ୍ଷିଣ ଭାରତରେ ଏହାକୁ ପୋଙ୍ଗଲ ଭାବେ ପାଳନ କରାଯାଏ । ସେହିପରି ପଞ୍ଜାବରେ ଲୋହରୀ, ପଶ୍ଚିମବଙ୍ଗରେ ପୌଷ ସଂକ୍ରାନ୍ତି, ହରିୟାଣା ଓ ହିମାଞ୍ଚଳ ପ୍ରଦେଶରେ ମାଘି, ଉତ୍ତର ପ୍ରଦେଶ ଓ ପଶ୍ଟିମ ବିହାରରେ ଖିଚଡି ସଂକ୍ରାନ୍ତି, ଗୁଜୁରାଟ ଓ ରାଜସ୍ଥାନରେ ଉତ୍ତରାୟଣ ପର୍ବ ଭାବେ ଜଣାଯାଏ ।

ଗୁଡ଼ି ଉଡା ପ୍ରତିଯୋଗିତା

ମକର ସଂକ୍ରାନ୍ତିରେ ଗୁଡ଼ି ଉଡ଼ାଇବାର ପରମ୍ପରା ରହିଆସିଛି । ବିଭିନ୍ନ ସ୍ଥାନରେ ଏନେଇ ଗୁଡ଼ି ଉଡ଼ା ପ୍ରତିଯୋଗିତା ମଧ୍ୟ ଆୟୋଜନ କରାଯାଇଥାଏ । ସୂର୍ଯ୍ୟ ହେଉଛନ୍ତି ସକଳ ଶକ୍ତିର ଆଧାର । ସୂର୍ଯ୍ୟକିରଣରେ ବିଭିନ୍ନ ରୋଗନାଶକାରୀ ଶକ୍ତି ଭରି ରହିଛି । ତେଣୁ ସୂର୍ଯ୍ୟକିରଣରେ କିଛି ସମୟ ବିତାଇବା ଶରୀରରେ ଉର୍ଜା ବୃଦ୍ଧି ପାଇଁ ଲୋକେ ଗୁଡ଼ି ଉଡାଇଥାନ୍ତି ।

ବିବିଧତା ମଧ୍ୟରେ ଏକତା ଭାରତୀୟ ସଂସ୍କୃତିର ପରିଚୟ । ଏଠାରେ ଜାତି, ଧର୍ମ, ବର୍ଣ୍ଣ ତଥା ପ୍ରଦେଶ ଭିତ୍ତିରେ ମଣିଷ ଭିନ୍ନ ହୋଇପାରେ, ହେଲେ ସାଂସ୍କୃତିକ, ପାରମ୍ପରିକ ଓ ପର୍ବପର୍ବାଣୀ ଭିତ୍ତିରେ ସମସ୍ତେ ଗୋଟିଏ ସୂତ୍ରରେ ବନ୍ଧା ।

Leave your comments

Upload your Photo

About Us

READ MORE

Address

Odia Samaj

11, Aradhana Enclave, 2nd floor, R K Puram, Sector-13, New Delhi.

9560606790

011-49429476

[email protected]