ହିନ୍ଦୁ ଧର୍ମାବଲମ୍ବୀମାନଙ୍କ ପାଇଁ ମାଘ ମାସ ଶୁକ୍ଳ ପକ୍ଷ ସପ୍ତମୀ ତିଥିର ବେଶ ମାହାତ୍ମ୍ୟ ରହିଛି । ଶ୍ରୀକୃଷ୍ଣଙ୍କ ପୁତ୍ର ଶାମ୍ବ, ଚନ୍ଦ୍ରଭାଗା ନଦୀକୂଳରେ ସୂର୍ଯ୍ୟଙ୍କୁ ଉପାସନା କରି ଏହି ଦିନ ଦୁରାରୋଗ୍ୟରୁ ମୁକ୍ତି ପାଇଥିଲେ । ତେଣୁ ମାଘସପ୍ତମୀରେ ବଡିଭୋରୁ ସୂର୍ଯ୍ୟ ଉପାସନା ପୂର୍ବକ ବୁଡ ପକାଇବାର ପରମ୍ପରା ରହିଆସିଛି। ଏହି ଦିନ ବୁଡ ପକାଇଲେ ପାପନାଶ ହେବା ସହ ବିଭିନ୍ନ ରୋଗରୁ ମୁକ୍ତି ମିଳିଥାଏ ବୋଲି ବିଶ୍ୱାସ ରହିଛି ।
ପ୍ରାଚୀନ ରଚନାବଳୀର ତଥ୍ୟରୁ ଜଣାଯାଏ ଯେ, ସୂର୍ଯ୍ୟ ପୂଜାର ଅନବଦ୍ୟ ଭିତ୍ତିଭୂମି ଉପରେ ଏହି ମାଘ ମେଳା ପର୍ଯ୍ୟବେସିତ । ସୂର୍ଯ୍ୟ ହେଉଛନ୍ତି ସକଳଶକ୍ତିର ଆଧାର । ସେ ହେଉଛନ୍ତି ସୃଷ୍ଟିର ସ୍ଥିତି ଓ ବିଲୟ । ମହାପ୍ରଭୁ ଜଗନ୍ନାଥଙ୍କ ଶ୍ରୀମନ୍ଦିରରେ ସୂର୍ଯ୍ୟ ପୂଜା ହେଉଛି ସମସ୍ତ ନୀତିର ପ୍ରଥମ ନିୟାମକ । ସୂର୍ଯ୍ୟଙ୍କ କିରଣରେ ବିବିଧ ରୋଗନାଶକାରୀ ଶକ୍ତି ରହିଛି । ସୂର୍ଯ୍ୟଙ୍କୁ ଉପାସନା କଲେ ସକଳ ରୋଗରୁ ମୁକ୍ତି ମିଳିଥାଏ । ମାଘସପ୍ତମୀରେ ସୂର୍ଯ୍ୟଙ୍କ ଜନ୍ମ ବୋଲି କୁହାଯାଏ । ପୂର୍ବ ସମୟରେ ମାଘମେଳା ଦର୍ଶନ ସହ ପବିତ୍ର ସ୍ନାନ ପାଇଁ ଦୂରଦୂରାନ୍ତରୁ ବହୁ ଧର୍ମ ପିପାସୁମାନେ ପଦବ୍ରଜରେ କୋଣାର୍କ ନିକଟସ୍ଥ ଏହି ସ୍ଥାନରେ ପହଞ୍ଚୁଥିଲେ । ଶୀତଋତୁର କୋହଲା ଓ ଥଣ୍ଡାର ସ୍ନାନ ସେମାନଙ୍କ ପାଇଁ ଯନ୍ତ୍ରଣାଦାୟକ ନଥାଏ, ବରଂ ଏକ ଦିବ୍ୟଭାବନା ଓ ଦିବ୍ୟଜୀବନ ପାଇବା ଉଦ୍ଦେଶ୍ୟରେ ସମସ୍ତେ ସମବେତ ହୋଇଥାନ୍ତି । ତେବେ ଏହାର ଅନ୍ତର୍ନିହିତ ଗୁଢ଼ତତ୍ତ୍ୱ ହେଉଛି ଆତ୍ମିକ ପ୍ରଗତି ଓ ଉନ୍ନତି ପାଇଁ ଯେଉଁ ମାନବସତ୍ତା, ଯେଉଁଚିନ୍ତା ଓ ଚେତନା ଆବଶ୍ୟକ ହୋଇଥାଏ ତାହା ହିଁ ହେଉଛି ମାଘ ସପ୍ତମୀ ବା ମାଘ ମେଳାର ଗୁଢ଼ ଭିତ୍ତି । ଜୀବନ ଜିଜ୍ଞାସା, ଦିବ୍ୟାନୁଭୂତି, ଆଧ୍ୟାତ୍ମିକ ଭାବସ୍ଫୁରଣ, ନୈତିକ ଚିନ୍ତା, ଧର୍ମୀୟ ପରିଷ୍କରଣ ମାଘ ମେଳାର ତାତ୍ତ୍ୱିକ ପରିପ୍ରକାଶ । ଯେଉଁ କାରଣରୁ ବହୁପଥ ଅତିକ୍ରମ କରି ଭକ୍ତି ପ୍ରାଣ, ସରଳବିଶ୍ୱାସୀ, ଆତ୍ମସନ୍ଧାନୀ ଓଡ଼ିଆମାନେ କୋଣାର୍କରେ ପବିତ୍ର ସ୍ନାନ କରି ମହାଶକ୍ତି, ଅସୀମ, ଅନନ୍ତ, ତେଜିୟାନ ସୂର୍ଯ୍ୟଙ୍କୁ ନତମସ୍ତକ ହୋଇଥାନ୍ତି ।
ପଦ୍ମପୁରାଣର ପ୍ରାଚୀ ମାହାତ୍ମ୍ୟରେ ଅର୍କତୀର୍ଥ କଥା ବର୍ଣ୍ଣନା କରାଯାଇଛି । ସେହି ଅର୍କତୀର୍ଥ ପରବର୍ତ୍ତୀ କାଳରେ ଚନ୍ଦ୍ରଭାଗା ତୀର୍ଥ ନାମରେ ପ୍ରସିଦ୍ଧି ଲାଭ କରିଛି । ସ୍ୱର୍ଗର ପୁଣ୍ୟତୋୟା ସରସ୍ୱତୀ ମର୍ତ୍ତ୍ୟଲୋକରେ ପ୍ରାଚୀ ନାମରେ ପ୍ରବାହିତ ହୋଇଥିଲେ । ତା ପରେ ଏହା ଚିତ୍ରୋତ୍ପଳା, କାଦୁଆ ଓ ଶେଷରେ ଚନ୍ଦ୍ରଭାଗା ନାମରେ କୋଣାର୍କ ନିକଟରେ ସମୁଦ୍ରରେ ପଡିଥିଲା । ଏହି ପବିତ୍ର ମାଘମେଳା ପଛରେ ଭଗବାନ କୃଷ୍ଣଙ୍କ ପୁତ୍ର ଶାମ୍ବଙ୍କ କୁଷ୍ଠରୋଗରୁ ମୁକ୍ତି ଲାଭର ପୌରାଣିକ କାହାଣୀ ଯୁଗେ ଯୁଗେ ଜନମାନସରେ ଉଜ୍ଜିବୀତ ରହିଛି । ପିତାଙ୍କ ଦ୍ୱାରା ଅଭିଶପ୍ତ ଶାମ୍ବ ଚନ୍ଦ୍ରଭାଗା ନଦୀକୂଳରେ ସୂର୍ଯ୍ୟ ଉପାସନା କରି କୁଷ୍ଠରୋଗରୁ ମୁକ୍ତି ଲାଭ କରିଥିଲେ । ଏହି ଚନ୍ଦ୍ରଭାଗା ନଦୀରେ ସ୍ନାନ କରୁଥିବା ସମୟରେ ଶାମ୍ବ ସୂର୍ଯ୍ୟଙ୍କର ମଣି ବିଗ୍ରହ ପାଇଥିଲେ ଏବଂ ସେହି ମୂର୍ତ୍ତିକୁ ଚନ୍ଦ୍ରଭାଗା ନଦୀ ତୀରରେ ମନ୍ଦିର ନିର୍ମାଣ ପାଇଁ ସ୍ୱୟଂ ସୂର୍ଯ୍ୟଦେବ ନିର୍ଦ୍ଦେଶ ଦେଇଥିଲେ । ଉତ୍ତରାୟଣର ସୂର୍ଯ୍ୟଙ୍କୁ ଦର୍ଶନ କରି ମାଘ ବୁଡ଼ର ଶ୍ରଦ୍ଧାଳୁମାନେ ଭଗବାନ ସୂର୍ଯ୍ୟଙ୍କ କୃପା ପ୍ରାପ୍ତି ପାଇଁ ଭକ୍ତି ନୈବେଦ୍ୟ ଅର୍ପଣ କରିଥାନ୍ତି । ତେଣୁ ପ୍ରାଚୀନ କାଳରୁ ଚନ୍ଦ୍ରଭାଗା ଏକ ପୂଣ୍ୟତୀର୍ଥ ରୂପେ ଖ୍ୟାତି ଅର୍ଜନ କରିଆସିଛି । ଭାରତର ବିଭିନ୍ନ ଅଂଚଳରୁ ଆସିଥିବା ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ସମାଗମ ହୋଇ ବ୍ରାହ୍ମମୁହୂର୍ତ୍ତରେ ଚନ୍ଦ୍ରଭାଗାରେ ବୁଡ ପକାଇ ତୀର୍ଥରେ ସକଳଶକ୍ତିର ଆଧାର ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେଇ ପୁଣ୍ୟ ଅର୍ଜନ କରିଥାନ୍ତି ।
ମାଘମେଳା ଉପଲକ୍ଷେ ପୂର୍ବେ କୋଣାର୍କ ସୂର୍ଯ୍ୟ ମନ୍ଦିରରେ ପ୍ରତିଷ୍ଠିତ ସୂର୍ଯ୍ୟ ଓ ଚନ୍ଦ୍ର ଏକ ବିମାନରେ ଚନ୍ଦ୍ରଭାଗା ତୀର୍ଥକୁ ଯାତ୍ରା କରିଥିଲେ । ଏହି ପ୍ରତିମାଙ୍କ ସହ କୋଣାର୍କର ଅଷ୍ଟଶମ୍ଭୁ ଓ ଅଷ୍ଟଚଣ୍ଡୀ ମଧ୍ୟ ଚନ୍ଦ୍ରଭାଗା ତୀର୍ଥକୁ ଯାତ୍ରା କରିଥିଲେ । ସୂର୍ଯ୍ୟଦେବଙ୍କ ଏହି ରଥଯାତ୍ରା ଅତ୍ୟନ୍ତ ବିରଳ । ବ୍ରହ୍ମପୁରାଣରେ ଏହା ସୌର ଗୁଣ୍ଡିଚା ନାମରେ ଖ୍ୟାତି ଲାଭ କରିଛି । ତୀର୍ଥସ୍ଥଳରେ ଏହି ଦେବଗଣଙ୍କ ପରିକ୍ରମା ପରେ ହିଁ ଶ୍ରଦ୍ଧାଳୁମାନେ ବୁଡ ପକାଇଥାନ୍ତି । ସୂର୍ଯ୍ୟମନ୍ଦିର ଭାଙ୍ଗିଯିବା ପରେ ସୂର୍ଯ୍ୟ ଓ ଚନ୍ଦ୍ରଙ୍କ ପ୍ରତିମା ଦ୍ୱୟକୁ ପୁରୀ ଶ୍ରୀମନ୍ଦିର ବେଢାରେ ସ୍ଥାପନ କରାଯାଇଛି । ଏବେ ଚନ୍ଦ୍ରଭାଗା ନଦୀଟି ଧୀରେ ଧୀରେ ବାଲିରେ ପୋତି ହୋଇଗଲାଣି । ତଥାପି ପାରମ୍ପରିକ ରୀତିରେ ଏବେ ମଧ୍ୟ ମାଘ ସପ୍ତମୀରେ ବୁଡ ପକାଇବାକୁ ଲକ୍ଷାଧିକ ଲୋକଙ୍କ ସମାଗମ ହୋଇଥାଏ।
ଲୋକକଥାରୁ ଜଣାଯାଏ, ପୂର୍ବକାଳରେ ଏହି ପବିତ୍ର ତିଥିରେ ସାଧୁସନ୍ଥମାନେ ଅର୍କକ୍ଷେତ୍ର ଚନ୍ଦ୍ରଭାଗାରେ ବୁଡ ପକାଇବା ପରେ ଉଦୟଗିରିରେ ଅବସ୍ଥାନ କରି ସୂର୍ଯ୍ୟ ପୂଜା କରୁଥିଲେ । କାରଣ ଅର୍କକ୍ଷେତ୍ରରେ ଉଦିତ ସୂର୍ଯ୍ୟଙ୍କ ପ୍ରଥମ କିରଣ କୁଆଡେ ସିଧାସଳଖ ଉଦୟଗିରିରେ ହିଁ ପଡେ । ତେଣୁ ଏଠାରେ ସୂର୍ଯ୍ୟପୂଜା କଲେ କୋଟି ପୂଣ୍ୟ ମିଳେ ବୋଲି କୁହାଯାଏ । ଏହି ପାହାଡର ପାତାଳଗଙ୍ଗା, ଗୁପ୍ତଗଙ୍ଗା ଭଳି ଜଳଉତ୍ସରେ ବୁଡ ପକାଇବା ଅର୍କକ୍ଷେତ୍ରରେ ବୁଡ ପକାଇବା ସହ ସମାନ ବୋଲି ବିଶ୍ୱାସ କରାଯାଏ । ତେଣୁ ସାଧୁସନ୍ଥମାନେ ସମ୍ମିଳିତ ହେଉଥିଲେ ଓ ସେମାନଙ୍କ ଦର୍ଶନ ତଥା ସାନ୍ନିଧ୍ୟ ଲାଭ କରିବା ଲକ୍ଷ୍ୟରେ ସ୍ଥାନୀୟ ଲୋକଙ୍କ ଭିଡ ଜମୁଥିଲା । ମାଘ ସପ୍ତମୀ ତିଥିରେ ଯାଜପୁରରେ ପୁଣ୍ୟତୋୟା ଦଶାଶ୍ୱମେଧ ଘାଟ, ରାଉରକେଲାର ବେଦବ୍ୟାସରେ ଶଙ୍ଖ, କୋଏଲର ମିଶ୍ରଣ ସ୍ଥାନରେ ମଧ୍ୟ ବୁଡ ପକାଯାଇଥାଏ । ଏହାଛଡା ଆହୁରି ଅନେକ ସ୍ଥାନରେ ସପ୍ତମୀ ବୁଡ ପକାଇଥାନ୍ତି ଶ୍ରଦ୍ଧାଳୁ ।