ସକଳ ଶକ୍ତିର ଆଧାର ସୂର୍ଯ୍ୟଦେବତାଙ୍କୁ ମନାସି ଓଡ଼ିଶାର ପୁରପଲ୍ଲୀରେ ପାଳନ ହୁଏ ଶାମ୍ବ ଦଶମୀ

ଉପକ୍ରମ: ସୂର୍ଯ୍ୟ ହେଉଛନ୍ତି ସକଳ ଶକ୍ତିର ଆଧାର । ସୂର୍ଯ୍ୟଙ୍କ କିରଣ ଶରୀରକୁ ନିରୋଗ ରଖିବା ସଙ୍ଗେ ସଙ୍ଗେ ଚର୍ମରୋଗ ମଧ୍ୟ ଦୂର କରିଥାଏ । ସୂର୍ଯ୍ୟ ଉପାସନା କାହିଁ କେତେ କାଳରୁ ଚାଲି ଆସିଛି । କୌଣସି ଦେବାଦେବୀଙ୍କୁ ଆମେ ସ୍ୱୟଂ ଚକ୍ଷୁରେ ଦର୍ଶନ କରି ପାରୁ ନ ଥିବା ବେଳେ ସୂର୍ଯ୍ୟ ହେଉଛନ୍ତି ଏକମାତ୍ର ଦେବତା ଯାହାଙ୍କୁ ଆମେ ଦର୍ଶନ କରିପାରୁ । କେବଳ ଯେ ଆମ ଭାରତ ବର୍ଷର ସଂସ୍କୃତିରେ ନୁହେଁ, ସୂର୍ଯ୍ୟ ଉପାସନା ବିଶ୍ୱର ପ୍ରାୟ ସମସ୍ତ ସଂସ୍କୃତିରେ ଭିନ୍ନ ଭିନ୍ନ ଭାବେ ଚାଲିଆସୁଅଛି । କିନ୍ତୁ ସୂର୍ଯ୍ୟ ଦେବତାଙ୍କୁ ଅର୍ଘ୍ୟ ଟେକିବାର ପରମ୍ପରା ଆମ ଭାରତବର୍ଷରେ ଟିକେ ନିଆରା । ତେବେ ଓଡ଼ିଆ ସଂସ୍କୃତିରେ ଏହି ପରମ୍ପରା ଏବଂ ସୂର୍ଯ୍ୟ ଦେବତାଙ୍କୁ ବିଶେଷ ଭାବେ ଉପାସନା କରିବାର ବିଧି ହେଉଛି ସ୍ୱତନ୍ତ୍ର । ସୂର୍ଯ୍ୟ ଉପାସନା ବିଧି ସହ ଓଡ଼ିଶାରେ ଘରେ ଘରେ ପରିଚିତ ଶାମ୍ବ ଦଶମୀ ବା ଶମ୍ବର ଦଶମୀ ପୂଜା ଅନ୍ୟତମ । ବିଶେଷ କରି ଓଡ଼ିଶାର ପୂର୍ବାଂଚଳ ଜିଲ୍ଲାଗୁଡ଼ିକରେ ଏହି ପର୍ବ ପାଳନ କରାଯାଇଥାଏ । ପିଲାମାନଙ୍କ ମଙ୍ଗଳ କାମନା କରାଯାଇ ଘରର ପୁରୁଖା ମହିଳା ଓ ମା ମାନେ ସ୍ୱତନ୍ତ୍ର ସୂର୍ଯ୍ୟ ପୂଜା କରିବା ସହ ଭୋଜ୍ୟ ଟେକିଥାନ୍ତି । ଓଡ଼ିଆ କ୍ୟାଲେଣ୍ଡର ପୌଷ ମାସ ଶୁକ୍ଳ ପକ୍ଷ ଦଶମୀ ତିଥିରେ ପାଳନ କରାଯାଏ ଶାମ୍ବ ଦଶମୀ । ଇଂରାଜୀ କ୍ୟାଲେଣ୍ଡର ଡିସେମ୍ବର-ଜାନୁଆରୀ ମାସର ମଧ୍ୟବର୍ତୀ ସମୟରେ ଏହି ପର୍ବ ପାଳନ କରାଯାଇଥାଏ ।

ପୌରାଣିକ କଥାବସ୍ତୁ: ତେବେ ଶାମ୍ବ ଦଶମୀର ନାମକରଣ ପଛରେ ରହିଛି ଅନେକ ପୌରାଣିକ କାହାଣୀ । ବ୍ରହ୍ମପୁରାଣ, ମାଦଳା ପାଞ୍ଜି, ପ୍ରାଚୀ ମହାତ୍ମ୍ୟ, ଶାମ୍ବ ପୁରାଣରେ ବର୍ଣ୍ଣିତ ହୋଇଛି ଶାମ୍ବ ଦଶମୀ ବା ସାତଘଡ଼ିର ପୌରାଣିକ କଥାବସ୍ତୁ । ଭଗବାନ ଶ୍ରୀକୃଷ୍ଣ ଏବଂ ଜାମ୍ବବତୀଙ୍କର ପୁତ୍ର ହେଉଛନ୍ତି ଶାମ୍ବ । ଶିବଙ୍କ ଆଶୀର୍ବାଦରୁ ଶାମ୍ବଙ୍କ ଜନ୍ମ ହୋଇଥିଲେ ମଧ୍ୟ ସେ ସ୍ୱଭାବରେ ଥିଲେ ସାମାନ୍ୟ କ୍ରୂର । ଶାମ୍ବ ଦେଖିବାକୁ ଭଗବାନ ଶ୍ରୀକୃଷ୍ଣଙ୍କ ଭଳି ସୁନ୍ଦର ଓ ରୂପବାନ ଥିଲେ । ମାତ୍ର ସେ ସର୍ବଦା ଅନ୍ୟ ଯାଦବମାନଙ୍କ ସହ ମିଶି ରାଜ୍ୟର ମୁନିଋଷିମାନଙ୍କୁ ଅପମାନ କରିବା ସହ ସେମାନଙ୍କ ରୂପକୁ ନେଇ ପରିହାସ କରୁଥିଲେ । ଏହିପରି କରୁଥିବା ସମୟରେ ଏକଦା ନାରଦ ମୁନିଙ୍କ ଅଭିଶାପ ଦ୍ୱାରା ଶାମ୍ବ କୁଷ୍ଠ ରୋଗରେ ପୀଡ଼ିତ ହୋଇ ପଡ଼ିଲେ । ଏଥିରୁ ମୁକ୍ତିଲାଭ କରିବା ପାଇଁ ଭଗବାନ ଶ୍ରୀକୃଷ୍ଣ ତାଙ୍କୁ ସୂର୍ଯ୍ୟଙ୍କର ଉପାସନା କରିବା ପାଇଁ ପରାମର୍ଶ ଦେଲେ । ଶାମ୍ବଙ୍କ ତପସ୍ୟାରେ ସନ୍ତୁଷ୍ଟ ହୋଇ ଆରୋଗ୍ୟ ହେବାର ବରଦାନ ଦେଲେ ଭଗବାନ ସୂର୍ଯ୍ୟ ନାରାୟଣ । ପୌଷ ଶୁକ୍ଳ ଦଶମୀ ତିଥିରେ ଶାମ୍ବ ଭୟଙ୍କର କୁଷ୍ଠ ରୋଗରୁ ଆରୋଗ୍ୟ ଲାଭ କରିଥିଲେ । ଚନ୍ଦ୍ରଭାଗା ଜଳରେ ସ୍ନାନ କରିବା ସମୟରେ ଶାମ୍ବ ଭଗବାନ ସୂର୍ଯ୍ୟ ନାରାୟଣଙ୍କ ଅଲୌକିକ ରୂପ ଦେଖିପାରିଥିଲେ । ଆରୋଗ୍ୟ ଲାଭ କରିବା ପରେ ଶାମ୍ବ ଭଗବାନ ସୂର୍ଯ୍ୟ ନାରାୟଣଙ୍କର ଏକ ମନ୍ଦିର ତୋଳିବା ପାଇଁ ଅନୁମତି ମାଗିଲେ, ଯେଉଁଥିରେ ସୂର୍ଯ୍ୟ ଦେବତା ଏକ ପଦ୍ମଫୁଲ ଉପରେ ଅବତୀର୍ଣ୍ଣ ହୋଇ ଦୁଇ ହାତରେ ଦୁଇଟି ପଦ୍ମଫୁଲ ଧରିଥିବାର ଦୃଶ୍ୟମାନ ହୋଇଥାଏ । ଏହି ବିଶ୍ୱାସ ଅନୁଯାୟୀ ଓଡ଼ିଆ ଘରର ମା ମାନେ ପିଲାମାନଙ୍କ ଉତ୍ତମ ସ୍ୱାସ୍ଥ୍ୟ ତଥା ପରିବାରର ମଙ୍ଗଳ କାମନା କରି ଶାମ୍ବ ଦଶମୀ ପାଳନ କରିଥାନ୍ତି ।

ଶାମ୍ବ ଦଶମୀ ପାଳନ ବିଧି: ସୂର୍ଯ୍ୟ ପୂଜା ବା ଶାମ୍ବ ଦଶମୀ ପାଳନ ବିଧି ତିନୋଟି ପର୍ଯ୍ୟାୟରେ ହୋଇଥାଏ । ପ୍ରଥମ ପର୍ଯ୍ୟାୟରେ, ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ଘରର ମହିଳାମାନେ ସ୍ନାନ କରି ପୂଜା ବିଧି ପ୍ରାରମ୍ଭ କରନ୍ତି । ସମସ୍ତ ପ୍ରକାର ପରିବା ପକାଇ ଘଡ଼ଘଡ଼ିଆ ଘାଣ୍ଟ ପ୍ରସ୍ତୁତ କରାଯାଏ । ବିଭିନ୍ନ ପ୍ରକାର ଫଳମୂଳ, ମିଠା, ଘଡ଼ଘଡ଼ିଆ ଘାଣ୍ଟକୁ ୭ ଟି ଭୋଜ୍ୟପତ୍ରରେ ପରଷି ଉଦୟ ସୂର୍ଯ୍ୟ (ବାଳ ସୂର୍ଯ୍ୟ)ଙ୍କୁ ଅର୍ପଣ କରାଯାଏ । ଏହାକୁ ବଢାକୁଢା ବା ବାଳଭୋଗ ବୋଲି କୁହାଯାଏ । ଅର୍ଘ୍ୟରେ ଧୂପ, ଦୀପ, ପୁଷ୍ପ, ଦୂବ, ବରକୋଳି ପତ୍ର, ଦାଣ୍ଡଧୂଳି ଆଦି ଅର୍ପଣ କରାଯାଏ । ଘରେ ଯେତେ ଜଣ ପିଲାଥାନ୍ତି ସମସ୍ତଙ୍କ ନାମରେ ଗୋଟିଏ ଲେଖାଏଁ ଭୋଗ ସୂର୍ଯ୍ୟ ଦେବାତାଙ୍କୁ ଅର୍ପଣ କରାଯାଇଥାଏ । ଦ୍ୱିତୀୟ ପର୍ଯ୍ୟାୟ ମଧ୍ୟାହ୍ନ ସମୟରେ ଅନେକ ପ୍ରକାର ପିଠା ଓ ମିଠା ତଥା ରନ୍ଧା ଖାଦ୍ୟ ପରଷା ଯିବାର ବିଧି ରହିଛି । ତୁଳସୀ ଚଉଁରା ମୂଳରେ ମା ମାନେ ଏକ ପାତ୍ରରେ ହଳଦୀ ପାଣି କରି, ଏକ ଗୁଆ ପକାଇ ସେଥିରେ ସୂର୍ଯ୍ୟଦେବତାଙ୍କ ପ୍ରତିଛବି ଦେଖିଥାନ୍ତି । ଏହାପରେ ବିଭିନ୍ନ ପ୍ରକାର ପିଠା, ଖୀରୀ, ଖେଚୁଡ଼ି, ଘାଣ୍ଟ ଆଦି ରନ୍ଧା ଖାଦ୍ୟ ବାଇଗଣ ପତ୍ରରେ ପରଷା ଯାଇ ଚଉଁରା ମୂଳରେ ପୂଜା କରାଯାଇ ସୂର୍ଯ୍ୟ ଦେବତାଙ୍କୁ ଭୋଗ ଅର୍ପଣ କରାଯାଇଥାଏ । ପୂଜା ସରିବା ପରେ ପରିବାରର ସମସ୍ତଙ୍କୁ ଏପରିକି ଗ୍ରାମର ପ୍ରାୟ ସମସ୍ତ ପିଲାଙ୍କୁ ଏହି ଭୋଗକୁ ବଣ୍ଟାଯାଏ । ଶାମ୍ବ ଦଶମୀର ମହତ୍ତ୍ୱ ହେଉଛି ଏଥିରେ ପ୍ରସ୍ତୁତ ହେଉଥିବା ବିଭିନ୍ନ ରକମର ସୁସ୍ୱାଦୁ ପିଠା । ମଧ୍ୟାହ୍ନ ସମୟ ଭୋଗରେ କାକରା, ମଣ୍ଡା, ଆରିଷା, ଚକୁଳି, ଖୀରୀ, ଖେଚୁଡ଼ି, ପୁରୀ, ବରା, ବୁଢା ଚକୁଳି, ଘାଣ୍ଟ ତରକାରୀ, ଛେନାପୋଡ଼, ରସଗୋଲା, ମୁଆଁ, ମକର ଚାଉଳ, ଛେନାଗଜା, ଜିଲାପୀ, ମିଠାଦହି ଆଦି ଭୋଗ ବଢାଯାଏ । ସନ୍ଧ୍ୟା ସମୟ ତୃତୀୟ ପର୍ଯ୍ୟାୟରେ ମହାକାଳଙ୍କୁ ପୂଜା କରାଯାଏ । ଏଥିରେ ଯମରାଜଙ୍କୁ ବୁଢାଚକୁଳି ଏବଂ ଘଡ଼ଘଡ଼ିଆ ଘାଣ୍ଟ ତରକାରୀ ଭୋଗ ଅର୍ପଣ କରାଯାଏ । ସଂପ୍ରତି ସମୟାନୁଯାୟୀ ଘରେ ଘରେ ପିଲାମାନେ ବାହାରେ ଯାଇ ପାଠ ପଢିବା ଓ ଚାକିରି କରିବାବେଳେ କାର୍ଯ୍ୟବ୍ୟସ୍ତତା ହେତୁ ପ୍ରତ୍ୟେକ ପର୍ବପର୍ବାଣୀ ସମୟରେ ଉପସ୍ଥିତ ନ ରହିପାରିଲେ ମଧ୍ୟ ମାଆ ଓ ଜେଜେ ମାଆମାନେ ଓଡ଼ିଶାରେ ଏହିପରି କିଛି ପାରମ୍ପରିକ ପର୍ବପର୍ବାଣୀ ଆଜି ମଧ୍ୟ ବିଧିର ସହ ପାଳନ କରିଆସୁଛନ୍ତି । ସମଗ୍ର ବିଶ୍ୱରେ ଭାରତୀୟ ସଂସ୍କୃତି ଓ ପରମ୍ପରାର ଭିନ୍ନ ଏକ ମହକ ଲାଗି ଏହା ସଦାସର୍ବଦା ସମୃଦ୍ଧ ଓ ଅନ୍ୟଦେଶମାନଙ୍କ ପାଇଁ ଦୃଷ୍ଟାନ୍ତମୂଳକ ।

Leave your comments

Upload your Photo

About Us

READ MORE

Address

Odia Samaj

11, Aradhana Enclave, 2nd floor, R K Puram, Sector-13, New Delhi.

9560606790

011-49429476

[email protected]