ପ୍ରସିଦ୍ଧ ଟାଇମ୍ ମାଗାଜିନ୍ ୨୦୨୦ ବର୍ଷକୁ ସବୁଠାରୁ ଖରାପ ବର୍ଷ ବୋଲି ଦର୍ଶାଇଛି । ପତ୍ରିକା ତାର ପ୍ରଚ୍ଛଦ ପୃଷ୍ଠାରେ ୨୦୨୦ କ୍ୟାଲେଣ୍ଡର ଉପରେ ମାରିଛି ନାଲିଛକି । ବିଶ୍ୱ ମହାମାରୀ କରୋନା କବଳିତ ବିଶ୍ୱ ପାଇଁ ୨୦୨୦ ବହୁ ଦୁଃଖଦ ସ୍ଥିତି ସୃଷ୍ଟି କରିଛି । କିଏ ନିଜ ଆତ୍ମୀୟଙ୍କୁ ହରାଇ ଦୁଃଖରେ ମ୍ରିୟମାଣ ତ କିଏ ନିଜ ଜୀବିକା ହରାଇ ଚିନ୍ତା ଓ ଚାପରେ ବ୍ୟଥିତ । ସାରା ମାନବ ସମାଜ ପାଇଁ ଏଭଳି ଅନ୍ଧକାର ୨୦୨୦ ତଥାପି ଦେଖାଇଛି ଚେନାଏ ଆଲୋକ । ଦୁଃଖ ଜର୍ଜିରିତ ମଣିଷମାନଙ୍କୁ ସହାୟତାର ହାତ ବଢାଇ ଦେଇଛନ୍ତି ଅନେକ ବ୍ୟକ୍ତି । ମହାମାରୀ କରୋନାର ବିଭୀଷିକା ମଧ୍ୟରେ ବି ଏହି ଦେବଦୂତମାନେ ମାନବିକତାର ଜୟଗାନକୁ ସମୃଦ୍ଧ କରାଇଛନ୍ତି । ବର୍ଷାନ୍ତର ଏହି କାଳଖଣ୍ଡ ମଧ୍ୟରେ ନିଜର ବ୍ୟକ୍ତିତ୍ୱ ଓ ପରିଚିତିକୁ ପରିବ୍ୟାପ୍ତ କରିଥିବା କେତେଜଣ କରୋନା କାଳର ନାୟକଙ୍କ ସମ୍ପର୍କରେ ...
ସାବାସ ସାଲୋମୀ
କୋରାପୁଟ ଜିଲା ବଣପାହାଡ ଘେରା ଦୁର୍ଗମ ବନ୍ଧୁଗାଁ ଅଂଚଳର କନ୍ୟା ସାଲୋମୀ ଏସ୍ବିଆଇର ଏକ କିଓସ୍କ ଚଳାଉଥିଲେ ବି ଗତ ଲକ୍ଡାଉନ ସମୟରେ ଅନ୍ୟମାନଙ୍କ ଠାରୁ ନିଜକୁ ଭିନ୍ନ ପ୍ରମାଣିତ କରିପାରିଛନ୍ତି । ପିତା ରମେଶ ମୂଲ ମଜୁରୀ କରନ୍ତି । ଲାପ୍ଟପ୍ଟିଏ କିଣିବାକୁ ସାଲୋମୀଙ୍କ ପାଖରେ ଅର୍ଥ ନ ଥିଲା । ତେବେ ସେ ଧାର କରଜ କରି ଲାପ୍ଟପ୍ ଟିଏ କିଣି ତାଲାବନ୍ଦ ସମୟରେ ଗାଁକୁ ଗାଁ ବୁଲି ଲୋକଙ୍କ ପାଖରେ ବ୍ୟାଙ୍କ ସେବା ପହଂଚାଇଥିଲେ । ଡିସେମ୍ବର ୧୦ ତାରିଖରେ ମାନବିକ ଅଧିକାର ଦିବସ ଅବସରରେ ଜାତିସଂଘର ପପୁଲେସନ ଫଣ୍ଡ ନିଜ ଟ୍ୱିଟରରେ ସାଲୋମୀଙ୍କୁ ସାବାସି ଜଣାଇଥିଲା । ତାଙ୍କୁ ଜଣେ କରୋନା ଯୋଦ୍ଧା ଭାବେ ସମ୍ମାନ ଜଣାଇଛି ଏହି ଅନ୍ତର୍ଜାତୀୟ ସଂସ୍ଥା । ଆଦିବାସୀ ଅଂଚଳରେ ସାଲୋମୀଙ୍କ ନୂଆ ଡାକ ନାଁ ହୋଇଛି ବ୍ୟାଙ୍କ ମ୍ୟାଡାମ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାଲୋମୀଙ୍କ ନିଷ୍ଠାପର ଉଦ୍ୟମକୁ ସାଧୁବାଦ ଜଣାଇଥିଲେ ।
କ୍ୟାନସର ଚିକିତ୍ସାରେ ସମର୍ପିତା ଶ୍ରୁତି
କେଶ ଝିଅମାନଙ୍କର ପ୍ରମୁଖ ଆକର୍ଷଣ ହୋଇଥିବା ବେଳେ କର୍କଟ ରୋଗୀମାନଙ୍କ ନିମନ୍ତେ କେଶ ଦାନ କରି ପ୍ରଂଶସା ସାଉଁଟିଛନ୍ତି ବାରିପଦା ଝିଅ ଶ୍ରୁତି ସ୍ୱପ୍ନା । କେମୋଥେରାପି ପରି ଜଟିଳ ଚିକିତ୍ସା ଯୋଗୁଁ କର୍କଟ ରୋଗୀମାନଙ୍କ କେଶ ଝଡ଼ି ଯାଇଥାଏ । ସେମାନଙ୍କ ପାଇଁ ୱିଗ୍ ପ୍ରସ୍ତୁତ କରି ସେମାନଙ୍କର ସୌନ୍ଦର୍ଯ୍ୟ ଓ ଆତ୍ମବିଶ୍ୱାସ ଫେରାଇ ଆଣିବାକୁ ଦେଶରେ ଏକ ଅଭିଯାନ ଚାଲିଛି । ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ଛାତ୍ରୀ ଶ୍ରୁତି ମାଇତି ଜଣେ ଏନଏସଏସ୍ ସ୍ୱେଚ୍ଛାସେବୀ । ନିଜର କେଶ ଦାନ କରି କର୍କଟ ବିରୋଧୀ ଯୁଦ୍ଧକୁ ସମର୍ଥନ କରିଛନ୍ତି ।
ପ୍ରବାସୀ ଶ୍ରମିକଙ୍କୁ ମୁକୁଳାଇବାରେ ମାନସୀ
କରୋନା ସମୟରେ ତାମିଲାନାଡ଼ୁ ଇଟାଭାଟିରେ କାମ କରୁଥିବା ପ୍ରବାସୀ ଶ୍ରମିକଙ୍କୁ ସାହା ହୋଇଥିଲେ ମାନସୀ । ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକର ମାଟିଆଇଟା ଗାଁ ର ୧୯ ବର୍ଷ ବୟସ୍କା ମାନସୀ ନିଜ ପିତାଙ୍କ ସହ ତାମିଲନାଡ଼ୁ ଯାଇ ଇଟାଭାଟିରେ କାମ କରୁଥିଲେ । ତେବେ ତାଲାବନ୍ଦ ସମୟରେ ଇଟାଭାଟି ମାଲିକର ଶ୍ରମିକଙ୍କୁ ପାଉଣା ନ ଦେବା, ମାରପିଟ କରିବା ସମ୍ପର୍କରେ ମାନସୀ ସାହାସ ଜୁଟାଇ ନିଜ ହ୍ୱାଟ୍ସଆପ୍ ଯୋଗେ ଖବର ପ୍ରଚାର କରାଇଥିଲେ । ପରେ ଏହା ପ୍ରଶାସନ ନଜରକୁ ଆସିଥିଲା । ସରକାରଙ୍କ ହସ୍ତକ୍ଷେପ ଯୋଗୁ ୬ ହଜାରରୁ ଅଧିକ ଶ୍ରମିକ ଭିଟାମାଟିକୁ ଫେରି ପାରିଥିଲେ ।
କ୍ଷିରୋଦିନୀ ଦିଦିଙ୍କ ଲକ୍ଡାଉନ ପାଠଶାଳା
କେନ୍ଦୁଝର ଜିଲା ସୁଆକାଟି ବ୍ଲକ ଭୂୟାଁ ସାହିର ଶିକ୍ଷିତ ଝିଅ କ୍ଷୀରୋଦିନୀ ଠାକୁର ଏବେ ଲକ୍ଡାଉନ ସମୟରେ ଶିକ୍ଷାରୁ ବଂଚିତ ପିଲାଙ୍କୁ ପାଠ ପଢାଇ କ୍ଷିରୋଦିନୀ ଦିଦି ଭାବେ ନୂଆ ପରିଚୟ ହାସଲ କରିଛନ୍ତି । ଅପହଂଚ ଇଲାକାରେ ସରକାରୀ ଅନ୍ଲାଇନ ଶିକ୍ଷାଦାନ ବିଫଳ ହୋଇଥିବା ବେଳେ ଗରିବ ଅସହାୟ ପିଲାଙ୍କ ଭବିଷ୍ୟତ ଗଢିବାକୁ ସେ ଆରମ୍ଭ କରିଛନ୍ତି ଏକ ଛୋଟ ପ୍ରୟାସ । ଦିନ ମଜୁରିଆ ମଧୁସୂଦନ ଠାକୁର ଓ ଅନ୍ନପୂର୍ଣ୍ଣା ଠାକୁରଙ୍କ ଝିଅ କ୍ଷିରୋଦିନୀ ୨୦୧୮ରେ ଏନ୍ସି କଲେଜରୁ ଇତିହାସ ସମ୍ମାନରେ ବିଏ ପାସ୍ କଲାପରେ ସୁଆକାଟି ସରସ୍ୱତୀ ଶିଶୁମନ୍ଦିରରେ ଆଚାର୍ଯ୍ୟା ଭାବେ ଶିକ୍ଷାଦାନ କରିଥାନ୍ତି । କରୋନା ସମୟରେ ତାଲାବନ୍ଦ ହୋଇଯିବାରୁ ସେ ସନ୍ଧ୍ୟାରେ ଗାଁ ପିଲାଙ୍କୁ ମାଗଣାରେ ଶିକ୍ଷାଦାନ କରାଉଛନ୍ତି । ୫୦ ରୁ ଅଧିକ ପିଲାଙ୍କୁ ସେ ଗାଁ ମଣ୍ଡପରେ ପାଠ ପଢାଉଥିବା ଦେଖିବାକୁ ମିଳୁଛି ।
କରୋନା କାଳର ରିୟଲ ହିରୋ ସବ୍ୟସାଚୀ
ଓଡ଼ିଆ ଚଳଚ୍ଚିତ୍ର ନାୟକ ସବ୍ୟସାଚୀଙ୍କୁ କେହି କେହି ଓଡ଼ିଶାର ସୋନୁ ସୁଦ୍ ବୋଲି କୁହନ୍ତି । ଓଡ଼ିଶାର ଏକ ବୈଦ୍ୟୁତିକ ଗଣମାଧ୍ୟମ ତାଙ୍କୁ ନ୍ୟୁଜ୍ ମେକର-୨୦୨୦ରେ ସମ୍ମାନୀତ କରିଛନ୍ତି । ଲକ୍ଡାଉନ ସମୟରେ ଏହି ନାୟକ ପ୍ରବାସୀ ଶ୍ରମିକ, ଛାତ୍ରମାନଙ୍କୁ ଭିଟାମାଟିକୁ ଫେରାଇ ଆଣିଛନ୍ତି । ରାସ୍ତାକଡ଼ରେ ପଡ଼ିଥିବା ୩୦୦ ବସ୍ତା ମାନସିକ ନଡ଼ିଆକୁ ମା ତାରିଣୀଙ୍କ ନିକଟକୁ ପଠାଇ ମାନସିକଧାରୀଙ୍କ ଆସ୍ଥାକୁ ସମ୍ମାନ ଦେଇଛନ୍ତି । ସ୍ୱାମୀଙ୍କୁ ଅସମୟରେ ହରାଇ ଅନ୍ଧାର ଜୀବନ ଜିଉଁଥିବା ବିନ୍ଦୁମାଉସୀଙ୍କ ଦୀପ କିଣି ବଂଚିବାର ଭରସା ଦେଇଛନ୍ତି । ବିନ୍ଦୁଲତା ମାଉସୀଙ୍କ ୬୦୦୦ ଦୀପ କିଣି ତାଙ୍କ ମନରେ ୬ କୋଟି ଆଶା ସଂଚାର କରାଇଛନ୍ତି ଏହି ରିୟଲ ନାୟକ ।
ଗରିବଙ୍କୁ ମାଗଣା ପରିବା ବାଣ୍ଟିଥିଲେ ଛାୟାରାଣୀ
ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ କୁରୁଡ଼ା ଗାଁର ମହିଳା ଚାଷୀ ଛାୟାରାଣୀ ସାହୁ ଲକ୍ ଡାଉନ ସମୟରେ ୫ ଟି ପଂଚାୟତରେ ୧୫ଟି ଗାଁ ରେ ମାଗଣା ପରିବା ବାଣ୍ଟି ଚର୍ଚ୍ଚାକୁ ଆସିଥିଲେ । ନିଜର ୭ଏକର ଜମିରେ ଉପୁଯାଇଥିବା ୫୦ କୁଇଣ୍ଟାଲ ପରିବା ନିଜ ଗାଡ଼ିରେ ନେଇ ଅଭାବୀ ଲାକଙ୍କ ଦ୍ୱାରରେ ପହଞ୍ଚାଇ ଥିଲେ ଛାୟା ରାଣୀ । ଏହା ଅତିରିକ୍ତ ଅଭାବୀ ଲୋକ ଏବଂ କର୍ମରତ ପୋଲିସ୍;ଙ୍କୁ ମାଗଣାରେ ଦୁଗ୍ଧ ଯେଗାଇ ମହନୀୟତାର ପରିଚୟ ଦେଇଥିଲେ ଛାୟାରାଣୀ । ରିଲିଫ୍ ଫଣ୍ଡ୍କୁ ଦାନରେ ଦେବାପାଇଁ ତାଙ୍କ ନିକଟରେ ଅର୍ଥାଭାବ ଥିବାରୁ ସେ ଏପରି ମାର୍ଗରେ ସହାୟତା କରି ଅନନ୍ୟ ଉଦାହରଣ ପାଲଟିଥିଲେ ।